ନ୍ୟୁଜିଲାଣ୍ଡ ଠାରୁ ସିରିଜ଼ ହାରିଲା ଟିମ ଇଣ୍ଡିଆ

୨ୟ ଟେଷ୍ଟରେ ପରାଜିତ ହୋଇଛି ଟିମ୍ ଇଣ୍ଡିଆ। ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ଭାରତୀୟ ଦଳକୁ ତା’ର ଘରୋଇ ମାଟିରେ ୧୧୩ ରନରେ ପରାଜିତ କରିଛି। ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳକୁ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚର ବିଜୟ ସହିତ ୨-୦ରେ ଆଗୁଆ ରହି କବ୍ଜା କରିନେଇଛି। ୨ୟ ପାଳିରେ ମ୍ୟାଚ ଜିତିବାକୁ ଭାରତ ପାଇଁ ୩୫୯ ରନ ଆବଶ୍ୟକ ଥିବାବେଳେ ଦଳ ୨୪୫ ରନରେ ଅଲଆଉଟ୍ ହୋଇଯାଇଥିଲା। ୧୨ ବର୍ଷ ପରେ ଭାରତ ନିଜ ମାଟିରେ ସିରଜ ପରାଜୟ ହାସଲ କରିଛି ।
୨ୟ ପାଳିରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଟିମ୍ ୨୫୫ ରନ କରିବାରେ ସକ୍ଷମ ହୋଇଥିଲା। ଓ୍ବାଶିଂଟନ ସୁନ୍ଦର ୪ଟି, ରବୀନ୍ଦ୍ର ଜାଡେଜା ୩ଟି ଏବଂ ଅଶ୍ଵିନ ୨ଟି ଉଇକେଟ ନେଇଥିଲେ। ମ୍ୟାଚ ବିଜୟ ପାଇଁ ଭାରତକୁ ୩୫୯ ରନ ଦରକାର ପଡ଼ୁଥିଲା। ହେଲେ ୨ୟ ପାଳିରେ ଯଶଶ୍ଵୀ ଜୟସଓ୍ବାଲ ଏବଂ ରବୀନ୍ଦ୍ର ଜାଡେଜାଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରି ନ ଥିଲେ। ଜୟସଓ୍ବାଲ ୭୭ ଏବଂ ଜାଡେଜା ୪୨ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ। ଟିମ ଇଣ୍ଡିଆର ଖେଳାଳିମାନେ ସାଣ୍ଟନରଙ୍କୁ ସାମ୍ନା କରିବାରେ ବିଫଳ ହୋଇଥିଲେ। ସାଣ୍ଟନର ୨ୟ ପାଳିରେ ୬ ଉଇକେଟ ନେଇ ନ୍ୟୁଜିଲାଣ୍ଡର ବିଜୟ ସହଜ କରିଦେଇଥିଲେ। ଭାରତ ୨୪୫ ରନରେ ଅଲଆଉଟ ହୋଇଯାଇଥିଲା।
ରୋହିତ ଶର୍ମା ଏହି ପରାଜୟକୁ ନିରାଶାଜନକ ବୋଲି ବର୍ଣ୍ଣନା କରିଛନ୍ତି। ରୋହିତ କହିଛନ୍ତି ଯେ ଆମେ ଯାହା ଭାବିଥିଲୁ ତାହା ହୋଇ ନ ଥିଲା। ନ୍ୟୁଜିଲ୍ୟାଣ୍ଡକୁ କ୍ରେଡିଟ୍ ଦେବାକୁ ପଡିବ। ସେମାନେ ଆମ ଅପେକ୍ଷା ଭଲ ଖେଳିଲେ। କିଛି ବିଶେଷ ସୁଯୋଗର ଲାଭ ଉଠାଇବାରେ ଆମେ ସଫଳ ହୋଇପାରିଲୁ ନାହିଁ। ସେମାନଙ୍କର ଚ୍ୟାଲେଞ୍ଜ୍ର ଜବାବ୍ ଦେବାରେ ଆମେ ବିଫଳ ହେଲୁ। ମୁଁ ନିଜେ ଏହି ବଡ ଭୁଲକୁ ସ୍ୱୀକାର କରୁଛି । ରୋହିତ ଶର୍ମା କହିଛନ୍ତି ଯେ ରନ୍ ସଂଗ୍ରହ କରିବା ପାଇଁ ଆମେ ଭଲ ବ୍ୟାଟିଂ କରିନାହୁଁ।
Powered by Froala Editor