ମହିଳାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ଆମ ସରକାର ପ୍ରତିଶ୍ରୁତିବଦ୍ଧ - ମୁଖ୍ୟମନ୍ତ୍ରୀ
ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସପି ସମ୍ମିଳନୀର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଏସପିଙ୍କୁ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଓଡ଼ିଶା ପୁଲିସର ମନ୍ତ୍ର ହେଉଛି ସେବା ଓ ସୁରକ୍ଷା। ଆମ ରାଜ୍ୟରେ ମହିଳାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ଆମ ସରକାର ପ୍ରତିଶ୍ରୁତିବଦ୍ଧ। ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ।
‘ଅପରାଧୀ ଯେଊଁ ପଦ ମର୍ଯ୍ୟାଦାରେ ଥିଲେ ବି କାର୍ଯ୍ୟାନୁଷ୍ଠାନ ହେବ । ବିଗତ ୨୨ ବର୍ଷ ଓଡ଼ିଶା ପାଇଁ ବିରାଟ କାଳଖଣ୍ଡ ଥିଲା । ୨୦୨୨ ପର୍ଯ୍ୟନ୍ତ ମହିଳା ବିରୋଧୀ ହିଂସା ଦଣ୍ଡହାର ମାତ୍ର ୯.୭୩% । ଯାହା ଅତ୍ୟନ୍ତ ନୈରାଶ୍ୟଜନକ, ଆମ ସରକାର ଏହାକୁ ବରଦାସ୍ତ କରିବନି ।’
ଅପରାଧରେ ଲଗାମ ଲଗାଇବା ପାଇଁ ପୁଲିସ କର୍ମଚାରୀମାନେ ୮ଘଣ୍ଟିଆ ଡ୍ୟୁଟି ବଦଳରେ ସବୁବେଳେ ଡ୍ୟୁଟିରେ ରହିବାକୂ କହିଛନ୍ତି। ନିଜ କଥା କହି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିଦିନ ରାତି ୨/୩ଟା ବେଳେ ଶୋଉଛି । ଲୋକସେବା ଭବନରେ ରାତି ୧୨ଟା ପର୍ଯ୍ୟନ୍ତ ରହୁଛି । ଆମେ ୮ ଘଣ୍ଟାର ଡ୍ୟୁଟିରେ ସୀମିତ ନୁହେଁ । ପୋଲିସ ଲୋକଙ୍କ ବନ୍ଧୁ ବୋଲି ଜନସଚେତନତା ଜରିଆରେ ଜଣାନ୍ତୁ । ଥାନାରେ ଥିବା ମହିଳା ଓ ଶିଶୁ ଡେସ୍କକୁ ଅଧିକ କାର୍ଯ୍ୟଶୀଳ କରାନ୍ତୁ ।
ଓଡ଼ିଶା ମାଓ ହିଂସାର ଶିକାର ହୋଇଆସୁଥିଲା । ତେଣୁ ବର୍ତ୍ତମାନ ମାଓ ଅଭିଯାନ ଜୋରଦାର ହେବା ସହ ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ମାଓ ଦମନ ପାଇଁ ଯାହା ଦରକାର ଯୋଗାଇ ଦିଆଯିବ । ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ଯୋଗୁଁ ସ୍ଥିତି ସୁଧୁରିଛି । ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓ ଲଢ଼େଇ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପ୍ରତି ପୁଲିସଙ୍କ ପାଖରେ ବାଇକ୍ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ୯ ହଜାର ବାଇକ୍ ଯୋଗାଇ ଦିଆଯିବ। ପ୍ରତିଥାନାରେ ୨ଟି ବାଇକ୍ ଥିବାରୁ କାମ ଶୀଘ୍ର ହେଉନି। ଏବେ ପ୍ରତି ଥାନାରେ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ନାମରେ ବାଇକ୍ ଦିଆଯିବ। ସେ ଯେଉଁ ଥାନାକୁ ଯିବେ ବାଇକ୍ ସାଥିରେ ନେଇ ଯିବେ।
ପ୍ରତିଥାନାକୁ ୨ଟି ଜିପ୍ ତଥା ପ୍ରତି ଜିଲ୍ଲାରେ ଓଡ୍ରାଫ୍ ଟିମ୍ ମଧ୍ୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ଷ୍ଟେଟ୍ ଷ୍ଟ୍ରାଇକିଂ ଫୋର୍ସର ୩ ଟି ବାଟାଲିୟନ ପ୍ରତିଷ୍ଠା ହେବ। ସବୁ ମେଡ଼ିକାଲରେ ଫାଣ୍ଡି ରହିବ। ୧୦ଟି ମେଡ଼ିକାଲ କଲେଜରେ ଫାଣ୍ଡି କରାଯିବ। ବରମୁଣ୍ଡା ବସଷ୍ଟାଣ୍ଡରେ ଆଉଟ ପୋଷ୍ଟ୍ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରଥମେ ଆଇଏଏସ ଅଫିସରଙ୍କୁ ତାଗିଦ୍ କରିଥିବାବେଳେ ଏବେ ଆଇପିଏସ୍ ଅଫିସରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଛନ୍ତି। ପୁଲିସ କର୍ମଚାରୀଙ୍କ ଆଚରଣ ଏବଂ ଉଚ୍ଚାରଣ ଠିକ୍ ରହିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରି କହିଛନ୍ତି ଯେ ପୁଲିସ କର୍ମଚାରୀଙ୍କ ଆଚରଣ ଏବଂ ଉଚ୍ଚାରଣ ଠିକ୍ ରହିବା କଥା |
Powered by Froala Editor