ପୁଣିଥରେ ଘୁଞ୍ଚିଲା ଭିନେଶ ଫୋଗାଟଙ୍କ ଅଲିମ୍ପିକ୍ସ ପଦକ ନିଷ୍ପତ୍ତି
ରେସଲର୍ ଭିନେଶ ଫୋଗଟ କରିଥିବା ମାମଲାର ଶୁଣାଣି ପୁଣିଥରେ ଘୁଞ୍ଚି ଯାଇଛି। ଅଗଷ୍ଟ ୧୬ରେ ଏନେଇ ଶୁଣାଣି ହେବ ବୋଲି ସୂଚନା ମିଳିଛି। ୧୬ ତାରିଖ ରାତି ୯ଟା ୩୦ ସୁଦ୍ଧା କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CAS ତା’ର ଚୂଡ଼ାନ୍ତ ରାୟ ପ୍ରକାଶ କରିବ। ଏହାକୁ ମିଶାଇ ତୃତୀୟ ଥର ପାଇଁ ସିଏଏସ୍ ନିଷ୍ପତ୍ତି ଘୁଞ୍ଚିଛି। ଏବେ ଭିନେଶ ଫୋଗଟ ମାମଲାରେ କୋର୍ଟ ଅଫ ଆର୍ବିଟ୍ରେସନ ଫର୍ ସ୍ପୋର୍ଟସ (ସିଏଏସ) କ’ଣ ରାୟ ଦେବ ଏନେଇ ପୂରା ଦେଶ ଚାହିଁ ରହିଛି।
ଅଗଷ୍ଟ ୯ରେ, ସିଏଏସରେ ଭିନେଶ ଫୋଗଟଙ୍କ ମାମଲାରେ ପ୍ରାୟ ତିନି ଘଣ୍ଟା ଧରି ବିତର୍କ ହୋଇଥିଲା। ଦେଶର ଜଣାଶୁଣା ଓକିଲ ହରିଶ ସାଲଭେଙ୍କ ଦ୍ୱାରା ଭିନେଶଙ୍କ ମାମଲା ପରିଚାଳନା କରାଯାଉଥିଲା। ତେବେ ମାମଲାର ଶୁଣାଣି ସମାପ୍ତ ହେବା ପରେ ସିଏଏସ ଭିନେଶଙ୍କ ତିନୋଟି ପ୍ରଶ୍ନର ଉତ୍ତର ମାଗିଛି। ମିଡିଆ ରିପୋର୍ଟ ଅନୁଯାୟୀ, କେବଳ ଭିନେଶଙ୍କ ଉତ୍ତର ଆଧାରରେ ସିଏଏସ ଏହାର ନିଷ୍ପତ୍ତି ଦେବ।
ସୂଚନାଯୋଗ୍ୟ, ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ ଫୋଗାଟ ରେସଲିଂର ୫୦ କେଜି ବର୍ଗରେ ଭାଗ ନେଇଥିଲେ। ସେ ଗତ ମଙ୍ଗଳବାର(ଅଗଷ୍ଟ ୬ ତାରିଖ)ରେ ବ୍ୟାକ ଟୁ ବ୍ୟାକ ୩ଟି ମ୍ୟାଚ୍ ଖେଳି ଫାଇନାଲକୁ ଯାଇଥିଲେ। ଫାଇନାଲ ୭ ତାରିଖରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ୭ ତାରିଖରେ ସକାଳେ ସେ ଧାର୍ଯ୍ୟ ଓଜନ ସୀମାର ନିୟମକୁ ପାର କରିଯାଇଥିଲା। ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।
Powered by Froala Editor