ଆଜିଠୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବିଜେପିର ସରକାର । ବିଜେଡିର ୨୪ବର୍ଷର ଶାସନକୁ ହଟାଇ ବିଜେପିକୁ ସ୍ପଷ୍ଟ ଜନାଦେଶ ସହ ସରକାର ଗଢ଼ିବାର ସୁଯୋଗ ଦେଇଛନ୍ତି ଓଡ଼ିଶାବାସୀ । ବିଜେପି ନିଜର ମୁଖ୍ୟମନ୍ତ୍ରୀ ଭାବେ ଜଣେ ଆଦିବାସୀ ନେତା ମୋହନ ଚରଣ ମାଝୀ ଓ ଦୁଇଜଣ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ଆଗକୁ ଆଣି ପ୍ରଥମରୁ ସରପ୍ରାଇଜ୍ କାର୍ଡ ଖେଳିଛି।
ଗଣମାଧ୍ୟମର ସବୁ ଚର୍ଚ୍ଚା ଓ ଅଙ୍କକୁ ଭୁଲ୍ କରିବା ସହ ହେଭିୱେଟ୍ ନେତାମାନଙ୍କୁ ପଛରେ ପକାଇ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଆସୀନ କରି ଓଡ଼ିଶାରେ ‘ସାଧାରଣ ଲୋକଙ୍କ ସରକାର’ ଚାଲିବ ବୋଲି ସନ୍ଦେଶ ଦେଇଛନ୍ତି ।
କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ଆଜି ସେ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିବେ। ଏଥିଲାଗି ଭୁବନେଶ୍ୱର ଜନତା ମଇଦାନରେ ହୋଇଛି ଭବ୍ୟ ଆୟୋଜନ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ। ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାଁ ଘୋଷଣା ହେବା ପରେ ତାଙ୍କୁ ଅର୍ଡର ଅଫ୍ ଆପଏଣ୍ଟମେଣ୍ଟ ପ୍ରଦାନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ଏଥିସହ ତାଙ୍କୁ ରାଜ୍ୟରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ସହ ୨ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା ହୋଇଛି। ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଏବଂ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ହେବେ ଉପମୁଖ୍ୟମନ୍ତ୍ରୀ।
Powered by Froala Editor