୬୫ ବର୍ଷ ବୟସରେ ମଧ୍ୟ ନେଇ ପାରିବେ ସ୍ବାସ୍ଥ୍ୟ ବୀମା
ଏଣିକି ଜଣେ ବ୍ୟକ୍ତି ୬୫ ବର୍ଷ ବୟସରେ ମଧ୍ୟ ସ୍ବାସ୍ଥ୍ୟ ବୀମା କିଣିପାରିବେ। ସ୍ବାସ୍ଥ୍ୟ ବୀମା କ୍ରୟ କ୍ଷେତ୍ରରେ ପୂର୍ବରୁ ରହିଆସିଥିବା ସର୍ବୋଚ୍ଚ ବୟସ ସୀମା ୬୫ ବର୍ଷକୁ ଇନ୍ସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ୍ ଡେଭେଲପ୍ମେଣ୍ଟ ଅଥରିଟି ଅଫ୍ ଇଣ୍ଡିଆ (ଆଇଆର୍ଡିଏଆଇ) ପକ୍ଷରୁ ହଟାଇ ଦିଆଯାଇଛି। ବରିଷ୍ଠ ନାଗରିକମାନଙ୍କ ସୁବିଧା ପାଇଁ ଏହି ନୂଆ ନିୟମ କରାଯାଇଛି।ସ୍ୱାସ୍ଥ୍ୟ ବୀମା ପଲିସି ପାଇଁ ଏହି ନୂତନ ନିୟମ ୧ ଏପ୍ରିଲ ୨୦୨୪ରୁ କାର୍ଯ୍ୟକାରୀ ହୋଇଛି।
ବୀମା ନିୟନ୍ତ୍ରକ ସଂସ୍ଥା ଆଇଆର୍ଡିଏଆଇର ଏକ ବିଜ୍ଞପ୍ତି ଅନୁସାରେ, ବୀମା ପ୍ରଦାନକାରୀ କମ୍ପାନୀଗୁଡ଼ିକୁ ସ୍ବାସ୍ଥ୍ୟ ବୀମାର ଏମିତି ପ୍ରଡକ୍ଟ ଆଣିବାକୁ ପଡ଼ିବ, ଯାହାକି ବରିଷ୍ଠ ନାଗରିକ, ଛାତ୍ରୀଛାତ୍ର, ପିଲା ଓ ମାତୃତ୍ୱ ଆବଶ୍ୟକତାକୁ ପୂରଣ କରିପାରୁଥିବ। ଏହି ନିର୍ଦ୍ଦେଶନାମା ଜାରି ହେବା ଫଳରେ ଜୀବନ ସ୍ଥିତି ଓ ସ୍ବାସ୍ଥ୍ୟ ଆବଶ୍ୟକତାର ବିବିଧ କ୍ଷେତ୍ରକୁ ସାମିଲ କରିବା ପାଇଁ ବୀମା କମ୍ପାନୀଗୁଡ଼ିକ ଉତ୍ସାହିତ ହେବେ।
ଏହାବାଦ୍ ବରିଷ୍ଠ ନାଗରିକଙ୍କୁ ସୁବିଧା ପ୍ରଦାନ ଲାଗି ଆଇଆର୍ଡିଏଆଇ କେତେକ ନୂଆ ପଲିସି ଆଣିବାକୁ ବାଧ୍ୟତାମୂଳକ କରିଛି। ଦାବିଗୁଡ଼ିକର ତୁରନ୍ତ ଫଇସଲା ଏବଂ ଅଭିଯୋଗ ଶୁଣାଣି ନିମନ୍ତେ ସ୍ବତନ୍ତ୍ର ଚ୍ୟାନେଲ ଖୋଲିବାକୁ ମଧ୍ୟ ଇନ୍ସ୍ୟୁରାନ୍ସ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କର୍କଟ, ହୃଦ୍ଘାତ, କିଡ୍ନୀ ଫେଲ୍ୟୁର୍ ଏବଂ ଏଡ୍ସ ଆଦିରେ ଆକ୍ରାନ୍ତ ବ୍ୟକ୍ତି ସ୍ବାସ୍ଥ୍ୟ ବୀମା କିଣିବାରେ ଅଧିକ ସୁବିଧା ପାଇବେ। ଆଇଆରଡିଏଆଇ ସ୍ୱାସ୍ଥ୍ୟ ବୀମା ୱେଟିଂ ପରିୟଡ ସମୟକୁ ୪୮ ମାସ ପରିବର୍ତ୍ତେ ୩୬ ମାସକୁ ହ୍ରାସ କରିଛି।
ଏହାପୂର୍ବରୁ, କେବଳ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଲୋକମାନେ ଏକ ନୂତନ ସ୍ୱାସ୍ଥ୍ୟ ବୀମା ପଲିସି କିଣି ପାରିବାର ନିୟମ ଥିଲା। ସ୍ୱାସ୍ଥ୍ୟ ବୀମା ପଲିସି କ୍ରୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ବୀମା ନିୟାମକ ଆଇଆରଡିଏଆଇ ୬୫ ବର୍ଷର ବୟସ ସୀମା ହଟାଇ ଦେଇଛି।
Powered by Froala Editor