ମୋହ ତ୍ୟାଗ କରି ଜୈନ ଧର୍ମ ନେବେ ଦମ୍ପତି : ଦାନ କରିଦେଲେ ୨୦୦ କୋଟି
ସାବରକାନ୍ଥା ଜିଲାର ହିମ୍ମତ ନଗର ଅଞ୍ଚଳର କୋଟିପତି ବ୍ୟବସାୟୀ ଭାବେଶ ଭଣ୍ଡାରୀ ଓ ତାଙ୍କ ସ୍ତ୍ରୀ ସମସ୍ତ ସାଂସାରିକ ମୋହ ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିଜର ୨୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରି ସ୍ତ୍ରୀଙ୍କ ସହ ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଫେବ୍ରୁଆରୀ ମାସରେ ନିଜର ସମସ୍ତ ସମ୍ପତ୍ତି ଦାନ କରିଦଇଥିବା ବେଳେ ଉଭୟ ଚଳିତ ମାସ ଶେଷରେ ଆନୁଷ୍ଠାନିକ ରୂପେ ସନ୍ନ୍ୟାସୀ ପାଲଟିବେ।
୧୯ ବର୍ଷ ପୁଅ ଓ ୧୬ ବର୍ଷୀୟ ଝିଅର ପଦାଙ୍କ ଅନୁସରଣ କରିବାକୁ ଯାଇ ବ୍ୟବସାୟୀ ଭାବେଶ ଭାଇ ଭଣ୍ଡାରୀ ଓ ତାଙ୍କ ପତ୍ନୀ ଏହି ନିଷ୍ପତ୍ତି ନେଇଛନ୍ତି। ୨୦୨୨ରେ ସାଂସାରିକ ମୋହ ଛାଡି ତାଙ୍କ ପୁଅ ଝିଅ ସନ୍ନ୍ୟାସ ଗ୍ରହଣ କରିଥିଲେ। ପୁଅ ଓ ଝିଅ ଆପଣାଇଥିବା ଏହି ନିଷ୍ପତ୍ତି ତାଙ୍କୁ ବେଶ୍ ପ୍ରେରିତ କରିଥିଲା। ଏଥିପାଇଁ ଭାବେଶ ଓ ତାଙ୍କ ପତ୍ନୀ ମଧ୍ୟ ନିଜର ଭୌତିକ ଆଶକ୍ତିଗୁଡିକୁ ତ୍ୟାଗ କରି ତପସ୍ୟା ପଥରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ।
ଆସନ୍ତା ୨୨ରେ ଭାବେଶ ସ୍ତ୍ରୀଙ୍କ ସହ ଅହମଦାବାଦ ରିଭରଫ୍ରଣ୍ଟଠାରେ ଜୈନଧର୍ମର ଦୀକ୍ଷା ନେବେ। ଦୀକ୍ଷା ନେବା ପରେ ଉଭୟ ସମ୍ପୂର୍ଣ୍ଣ ଭାବେ ପାରିବାରିକ ସମ୍ପର୍କରୁ ମୁକ୍ତ ହେବେ ବୋଲି ଭାବେଶ ସୂଚନା ଦେଇଛନ୍ତି। ସେହିପରି ଏହି ଦମ୍ପତି ନିଜ ସହ କୌଣସି ବିଳାସପୂର୍ଣ୍ଣ ସାମଗ୍ରୀ ରଖିପାରିବେ ନାହିଁ। ସବୁବେଳେ ଖାଲିପାଦରେ ଚାଲିବା ସହ କେବଳ ଭିକ୍ଷାବୃତ୍ତି କରି ଉଭୟେ ନିଜର ଗୁଜରାଣ ମେଣ୍ଟାଇବେ। ସନ୍ନ୍ୟାସୀ ଦୀକ୍ଷା ନେବା ପରେ ସେମାନଙ୍କୁ ଧଳାବସ୍ତ୍ର ପରିଧାନ କରି ଅହିଂସା ମାର୍ଗ ଆପଣାଇବାକୁ ପଡ଼ିବ ବୋଲି ଭାବେଶ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଅନୁରୂପ ଭାବେ ଗୁଜରାଟର ଜଣେ କୋଟିପତି ହୀରା ବ୍ୟବସାୟୀ ନିଜ ସ୍ତ୍ରୀଙ୍କ ସହ ସନ୍ନ୍ୟାସ ଗ୍ରହଣ କରିଥିଲେ। ୨୦୧୭ରେ ମଧ୍ୟପ୍ରଦେଶର ଏକ ଧନୀ ଦମ୍ପତି ନିଜ ୧୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରିବା ସହ ୩ ବର୍ଷର ଝିଅ ସହ ସନ୍ନ୍ୟାସ ଗ୍ରହଣ କରିଥିଲେ।
Powered by Froala Editor