ବିଜେପିର ସଂକଳ୍ପ ପତ୍ର ପ୍ରକାଶ : ଫୋକସରେ ରହିଛି ‘GYAN’
ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ଇସ୍ତାହାର ପ୍ରକାଶ କରିଛି। ପାଞ୍ଚ ଲକ୍ଷ ପରାମର୍ଶ ଆଧାରରେ ବିଜେପିର ‘ସଙ୍କଳ୍ପ ପତ୍ର’ ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଦଳର ମୁଖ୍ୟାଳୟରେ ବିଜେପିର ଇସ୍ତାହାର ପ୍ରକାଶ ପାଇଛି। ଏହି ଅବସରରେ ନିର୍ବାଚନୀ ଇସ୍ତାହାର କମିଟିର ମୁଖ୍ୟ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟ ଦଳୀୟ ନେତା ଉପସ୍ଥିତି ରହିଥିଲେ।
ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ଅନେକ ରାଜ୍ୟରେ ଆଜି ନବ ବର୍ଷ ପାଳନ କରାଯାଉଛି। ଏଭଳି ଶୁଭ ଦିନରେ ବିଜେପି ନିଜ ସଂକଳ୍ପ ପତ୍ର ଜାରି କରିଛି। ଯୁବ ଭାରତର ଯୁବ ଆକାଂକ୍ଷା ଆମ ସଙ୍କଳ୍ପ ପତ୍ରରେ ପ୍ରତିଫଳିତ ହୋଇଛି। ‘ଡିଗ୍ନିଟି ଅଫ୍ ଲାଇଫ୍ ଓ କ୍ୱାଲିଟି ଅଫ୍ ଲାଇଫ୍’ ଆମର ଫୋକସ ବୋଲି ନିଜ ଭାଷଣରେ କହିଛନ୍ତି ମୋଦି।
ଏହାର ଶୀର୍ଷକ ‘ମୋଦିଙ୍କ ଗ୍ୟାରେଣ୍ଟି: ବିକଶିତ ଭାରତ ୨୦୪୭’ ରହିଛି। ଏନେଇ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ୨୭ ବରିଷ୍ଠ ନେତାଙ୍କ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ଇସ୍ତାହାର ପ୍ରସ୍ତୁତ କରିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି କମିଟିର ସଂଯୋଜକ ଅଛନ୍ତି। ଏହି ସଂକଳ୍ପ ପତ୍ରରେ ଫୋକସରେ ରହିଛି ‘GYAN’। G ହେଉଛି- 'Gareeb' (ଗରିବ), Y ହେଉଛି- ‘Yuva' (ଯୁବବର୍ଗ), A ହେଉଛି- 'Annadaata' (ଅନ୍ନଦାତ) ଓ N ହେଉଛି Nari (ମହିଳା)।
- ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ ଜାରି ରହିବ।
- ୭୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ।
- ଆୟୁଷ୍ମାନ ଯୋଜନାରେ ଟ୍ରାନ୍ସଜେଣ୍ଡରଙ୍କୁ ମଧ୍ୟ ସାମିଲ କରାଯିବ।
- ଦେଶରେ ଜନ ଔଷଧି କେନ୍ଦ୍ରର ବିସ୍ତାର ହେବ।
- ପାଇପ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ ପହଞ୍ଚାଯିବ।
- ମୁଦ୍ରା ଯୋଜନାରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ବୃଦ୍ଧି କରାଯିବ।
- ଗରିବଙ୍କ ପାଇଁ ଆହୁରି ୩ କୋଟି ଆବାସ ନିର୍ମାଣ ହେବ।
- ଦେଶର ଉତ୍ତର, ଦକ୍ଷିଣ ଓ ପୂର୍ବ ଭାଗରେ ବୁଲେଟ ଟ୍ରେନ୍ ଚାଲିବ।
- ଖୁବଶୀଘ୍ର ଗଡ଼ିବ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍।
-୨୦୩୬ ମସିହାରେ ଅଲମ୍ପିକ ଆୟୋଜନ କରିବ ଦେଶ।
- ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ଲକ୍ଷ୍ୟ ।
- ସର୍ଭାଇକାଲ କ୍ୟାନସର ଓ ବ୍ରେଷ୍ଟ କ୍ୟାନସରର ଚିକିତ୍ସା ପାଇଁ ଯୋଜନା ପ୍ରସ୍ତୁତ କରିବୁ।
- ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ଯୋଜନା ଆଣିବୁ।
- ସମଗ୍ର ବିଶ୍ୱରେ ଯୋଗର ପ୍ରଚାର, ପ୍ରସାର ।
-ଇ-ଶ୍ରମ ମାଧ୍ୟମରେ କଲ୍ୟାଣ ଯୋଜନା
- ଗରିବଙ୍କୁ ଲୁଟୁଥିବା ଲୋକ ଜେଲ୍ ଯାଉଛନ୍ତି । ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ
- ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ସଂକଳ୍ପ ପୂରଣ ।
-ସେମିକଣ୍ଡକ୍ଟର ଏବଂ ସ୍ପେସ୍ ସେକ୍ଟରରେ ବିକାଶ କରିବା ଲକ୍ଷ୍ୟ
-ସାରା ବିଶ୍ୱରେ ରାମାୟଣ ପର୍ବ ପାଳନ କରାଯିବ ।
Powered by Froala Editor