ହକିରୁ ଅବସର ଘୋଷଣା କଲେ ଦୀପ୍ଗ୍ରେସ୍ ଏକ୍କା
ଭାରତୀୟ ମହିଳା ହକି ଦଳର ତାରକା ଡିଫେଣ୍ଡର ଓଡ଼ିଶାର ଦୀପ୍ ଗ୍ରେସ୍ ଏକ୍କା ଅବସର ଘୋଷଣା କରିଛନ୍ତି। ୧୩ ବର୍ଷ ଧରି ଭାରତୀୟ ମହିଳା ହକି ଦଳର ନିୟମିତ ସଦସ୍ୟ ଥିବା ଦୀପଗ୍ରେସ ସୋଶାଲ ମିଡିଆ ଯୋଗେ ତାଙ୍କ ଅବସର ଘୋଷଣା କରିଛନ୍ତି।
ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକର ଲୁଲକିଡିହିରେ ୧୯୯୪ ଜୁନ ୩ରେ ଜନ୍ମଗ୍ରହଣ କରିଥିଲେ ଦୀପ୍ଗ୍ରେସ। ତାଙ୍କ ମା’ଙ୍କ ନାମ ଜୟମଣି ଓ ବାପା ଚାର୍ଲେସ ଏକ୍କା। ୧୭ ବର୍ଷ ବୟସରେ ୨୦୧୧ରେ ଦୀପ୍ଗ୍ରେସଙ୍କ ଅନ୍ତର୍ଜାତୀୟ ହକି କ୍ୟାରିୟର ଆରମ୍ଭ ହୋଇଥିଲା। ଆର୍ଜେଣ୍ଟିନାରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ହକି ଟୁର୍ନାମେଣ୍ଟ ତାଙ୍କ ଜୀବନର ପ୍ରଥମ ଅନ୍ତର୍ଜାତୀୟ ହକି ଟୁର୍ନାମେଣ୍ଟ ଥିଲା। ଏହାପରେ ସେ ଥାଇଲାଣ୍ଡର ବ୍ୟାଙ୍କକ୍ରେ ୧୮ ବର୍ଷରୁ କମ୍ ଏସିଆ କପ୍ ଖେଳିଥିଲେ। ସେଠାରେ ପ୍ରଭାବୀ ପ୍ରଦର୍ଶନ ଯୋଗୁ ପରବର୍ତ୍ତୀ ଜାତୀୟ କ୍ୟାମ୍ପ ଗୁଡ଼ିକରେ ସେ ପ୍ରାୟତଃ ନିୟମିତ ସଦସ୍ୟା ଥିଲେ।
ଆଉ ତା’ପରଠୁ ସେ ପଛକୁ ଚାହିଁ ନାହାନ୍ତି। ସେ ଭାରତର ଜାତୀୟ ମହିଳା ହକି ଦଳର ନିୟମିତ ସଦସ୍ୟ ହୋଇ ରହିଥିଲେ। ସେ ଦେଶ ପାଇଁ ୨୬୮ଟି ମ୍ୟାଚ୍ ଖେଳିଛନ୍ତି। ୨୦୧୩ରେ ଜର୍ମାନୀରେ ଅନୁଷ୍ଠିତ ଜୁନିୟର ହକି ବିଶ୍ୱକପରେ ଐତିହାସିକ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳର ସେ ସଦସ୍ୟା ଥିଲେ। ଏହି ବର୍ଷ ସେ ଉଭୟ ଜୁନିୟର ଓ ସିନିୟର ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।
୨୦୧୩ରେ ଅନୁଷ୍ଠିତ ମହିଳା ଏସିଆ କପ୍ରେ ବ୍ରୋଞ୍ଜ ଏବଂ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ ପଦକ ବିଜୟୀ ଭାରତୀୟ ସିନିୟର ଦଳ ପକ୍ଷରୁ ସେ ଖେଳିଥିଲେ। ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ଦଳର ସେ ପ୍ରମୁଖ ସଦସ୍ୟା ଥିଲେ।
ଦୀପଗ୍ରେସ ଅବସର ଘୋଷଣା କରିବା ପରେ ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ କହିଛନ୍ତି, ହକିରେ ତାଙ୍କର ସଫଳତା କେବଳ ଓଡ଼ିଶାର ଯୁବପିଢ଼ି ପାଇଁ ନୁହେଁ, ପୂରା ଦେଶର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ।
Powered by Froala Editor