ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼
ଭୁବନେଶ୍ୱର: ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ । ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟ ହୋଇ ପଡ଼ୁଛି। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି। ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼। ଦେହ ଥରାଇ ଦେଉଛି କୋହଲା ପବନ। ଶୀତର ପ୍ରକୋପ ଯୋଗୁ ରାଜ୍ୟରେ ୪ ଡିଗ୍ରୀ ତଳକୁ ଖସିଛି ପାରଦ। ଜି. ଉଦୟଗିରି ପାଲଟିଛି ସବୁଠୁ ଥଣ୍ଡା ସହର। ଗତକାଲି ରାତିରେ ଏଠାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିଥିଲା।
ଗତକାଲି ରାତିରେ ରାଜ୍ୟରେ ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଛି। କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ୫.୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀର ୬.୫ ଡିଗ୍ରୀ, ସୁନ୍ଦରଗଡ଼ କିରେଇରେ ୬,୬ ଡିଗ୍ରୀ,କୋରାପୁଟ ୭.୬ ଡିଗ୍ରୀ, ଅନୁଗୋଳ ୮ଡିଗ୍ରୀ, କନ୍ଧମାଳର ଦାରିଙ୍ଗିବାଡ଼ି ୮ ଡିଗ୍ରୀ, ରାଉରକେଲା ୮,୩ ଡିଗ୍ରୀ, କେନ୍ଦୁଝର ୮.୪ ଡିଗ୍ରୀ, ସୁନ୍ଦରଗଡ଼ ୮.୬ ଡିଗ୍ରୀ, କଳାହାଣ୍ଡି ଜିଲ୍ଲା ଭବାନୀପଟଣାରେ ୯ ଡିଗ୍ରୀ, ଝାରସୁଗୁଡ଼ା ୯ ଡିଗ୍ରୀ, ନବରଙ୍ଗପୁର ୯ଡିଗ୍ରୀ, ଭଦ୍ରକର ରାଣିତାଲ ୯.୧ ଡିଗ୍ରୀ, ସୋନପୁର ୯.୭ ଡିଗ୍ରୀ ଓ ବଲାଙ୍ଗିରରେ ୧୦ ଡିଗ୍ରୀ ରେକର୍ଡ କରାଯାଇଛି।
ଅନ୍ୟପକ୍ଷରେ ଚଳିତ ଋତୁରେ ଗତକାଲି କଟକ ଓ ଭୁବନେଶ୍ୱରରେ ସବୁଠୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ରାତିରେ ଟ୍ୱିନ୍ ସିଟିରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରେକର୍ଡ କରାଯାଇଥିଲା। କଟକରେ ୧୨.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୧୨.୪ ଡ଼ିଗ୍ରୀ ରେକର୍ଡ କରାଯାଇଛି।
Powered by Froala Editor