ଭତ୍ତା ବଣ୍ଟନ ବେଳେ ଟଙ୍କା ବ୍ୟାଗ ଝାମ୍ପି ଦୌଡ଼ିଲା ମଦ୍ୟପ

ଭତ୍ତା ଟଙ୍କା ବଣ୍ଟନ ବେଳେ ଗ୍ରାମ ରୋଜଗାର ସେବକ ନିକଟରୁ ଟଙ୍କା ବ୍ୟାଗ ଝାମ୍ପି ନେଲା ଯୁବକ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଶାଳଦେଇ ପଞ୍ଚାୟତ କାର୍ଯ୍ଯାଳୟ ପରିସରରେ। ଘଷିପୁରା ବ୍ଲକ ଶାଳଦେଇ ପଞ୍ଚାୟତର ଗ୍ରାମରୋଜଗାର ସେବକ ଅଶୋକ କୁମାର ସାହୁ ଅକ୍ଟୋବର ମାସର ଭତ୍ତା ବଣ୍ଟନ କରିବାକୁ ୨ ଲକ୍ଷ ୪ ହଜାର ୬ ଶହ ଟଙ୍କା ଉଠାଣ କରି ପଞ୍ଚାୟତ କାର୍ଯ୍ଯାଳୟରେ ଭତ୍ତା ବଣ୍ଟନ କରୁଥିଲେ।
ବଣ୍ଟନର କିଛି ସମୟ ପରେ ସେହି ଗ୍ରାମର ମଦ୍ୟପ ଯୁବକ ନିଳମଣୀ ଦଳେଇ(୩୦) ପଶି ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରିବା ସହ ହଠାତ ଗ୍ରାମ ରୋଜଗାର ସେବକ ଅଶୋକ କୁମାର ସାହୁଙ୍କ ଠାରୁ ଟଙ୍କା ବ୍ୟାଗ କୁ ଛଡାଇ ଦୌଡି ପଳାଇ ଯାଇଥିଲା।ଗ୍ରାମରୋଜଗାର ସେବକ ସ୍ଥାନିୟ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ସମେତ ବିଡିଓଙ୍କ ଦୃଷ୍ଠି ଆକର୍ଷଣ କରିଥିଲେ। ପରେ ଟଙ୍କା ବ୍ୟାଗ ଲୁଟ ଘଟଣା ନେଇ ରାମଚନ୍ଦ୍ରପୁର ଥାନାରେ ଗ୍ରାମରୋଜଗାର ସେବକ ଲିଖିତ ଅଭିଯୋଗ କରିଥିଲେ। ମୋଟ ଟଙ୍କାରୁ ୧ ଲକ୍ଷ ୩ ହଜାର ୪ ଶହ ଟଙ୍କା ଯୁବକ ଲୁଟି ନେଇଥିବା ଏତଲାରେ ଉଲ୍ଲେଖ କରିଥିଲେ ।
ରାମଚନ୍ଦ୍ରପୁର ପୋଲିସ ଶାଳଦେଇ ପଞ୍ଚାୟତରେ ପହଞ୍ଚି ଲୁଟ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଯୁବକକୁ କାବୁ କରିବାକୁ ଦିନ ତମାମ୍ ପୋଲିସ କସରତ କରିବା ପରେ ଯୁବକ କାବୁ କରିବାରେ ସଫଳ ହୋଇଛି। ଯୁବକ ନିକଟରୁ ସମସ୍ତ ଟଙ୍କା ବରାମତ ହୋଇଛି।
Powered by Froala Editor