୨୭ ବର୍ଷ ପରେ ୮୯ ବର୍ଷୀୟ ବୃଦ୍ଧଙ୍କୁ ଛାଡ଼ପତ୍ର ଦେବାକୁ ମନା କଲେ ସୁପ୍ରିମ୍କୋର୍ଟ

୮୯ ବର୍ଷୀୟ ଜଣେ ବୃଦ୍ଧଙ୍କ ଛାଡ଼ପତ୍ର ଏବେ ଚର୍ଚ୍ଚାର ବିଷୟ ହୋଇଛି । ଛାଡ଼ପତ୍ର ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ କାହାଣୀ ୨୭ ବର୍ଷ ପରେ ହାପି ଏଣ୍ଡିଂ ହୋଇଛି। ୧୯୮୪ ମସିହାରୁ ଅଲଗା ରହୁଥିବା ଏହି ଦମ୍ପତିଙ୍କୁ ପରିଣତ ବୟସରେ ଏକାଠି ରହିବାକୁ ଅନୁମତି ଦେଇଛନ୍ତି କୋର୍ଟ।
ରିପୋର୍ଟରୁ ପ୍ରକାଶ ୮୯ ବର୍ଷୀୟ ନିର୍ମଳ ସିଂହ ପାନେସର ୧୯୬୩ ମସିହାରେ ବିବାହ କରିଥିଲେ ହେଁ ୧୯୮୪ ମସିହାରେ ପତ୍ନୀଙ୍କ ସହ ତାଙ୍କର ସମ୍ପର୍କ ଭାଙ୍ଗି ଯାଇଥିଲା। ସେହି ବର୍ଷ ତାଙ୍କ ପତ୍ନୀ ପରମଜିତ କୌର ପାନେସର (୮୨) ତାଙ୍କ ସହ ଚେନ୍ନାଇ ଯିବାକୁ ମନା କରିଦେଇଥିଲେ ଯେତେବେଳେ ଭାରତୀୟ ବାୟୁସେନା ତାଙ୍କୁ ସେଠାରେ ଅବସ୍ଥାପିତ କରିଥିଲା।
କ୍ରୁରତା ଏବଂ ନିର୍ଯାତନା ଦର୍ଶାଇ ନିର୍ମଳ ୧୯୯୬ରେ ପତ୍ନୀଙ୍କଠାରୁ ଛାଡ଼ପତ୍ର ଆବେଦନ କରିଥିଲେ। ଦୀର୍ଘ ଚାରି ବର୍ଷ ମାମଲା ଚାଲିବା ପରେ ୨୦୦୦ ମସିହାରେ ଜିଲ୍ଲା କୋର୍ଟ ଆବେଦନକୁ ମଞ୍ଜୁରୀ ଦେଇଥିଲେ। ମାତ୍ର ପରମଜିତ୍ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ସେହି ବର୍ଷ ହିଁ ଛାଡ଼ପତ୍ର ଆବେଦନ ଖାରଜ ହୋଇଯାଇଥିଲା।
ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପାଇଁ ଦୁଇ ଦଶନ୍ଧି ସମୟ ନେଇଯାଇଛି। ଶେଷରେ ୨୭ ବର୍ଷ ପରେ ସୁପ୍ରିମକୋର୍ଟରେ ପୁନର୍ବାର ଆବେଦନ କରିଥିଲେ ନିର୍ମଳ। ମାମଲାର ଶୁଣାଣି ସମୟରେ କୋର୍ଟରେ ହାଜର ହୋଇଥିଲେ ୮୯ ବର୍ଷୀୟ ନିର୍ମଳ ଓ ୮୨ ବର୍ଷୀୟ ପରମଜିତ। ପରମଜିତ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେବାକୁ ମନା କରିଦେଇଥିଲେ। ଜୀବନର ଶେଷ ସମୟରେ ସେ ତାଙ୍କ ସ୍ୱାମୀଙ୍କ ସହ ଏକାଠି ରହିବାକୁ ଅଦାଲତଙ୍କୁ ନିବେଦନ କରିଥିଲେ। ଶେଷରେ ସୁପ୍ରିମ୍କୋର୍ଟ ଛାଡ଼ପତ୍ର ଆବେଦନକୁ ଖାରଜ କରିଦେଇଛନ୍ତି।
ଗୁରୁବାର ପ୍ରକାଶିତ ଅଦାଲତଙ୍କ ରାୟରେ କୁହାଯାଇଛି ଯେ ବିବାହ ଅନୁଷ୍ଠାନକୁ ଭାରତୀୟ ସମାଜରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସଂପର୍କକୁ ଏକ ପବିତ୍ର, ଆଧ୍ୟାତ୍ମିକ ଏବଂ ଅମୂଲ୍ୟ ଭାବନାତ୍ମକ ସଂପର୍କ ଭାବରେ ବିବେଚନା କରାଯାଏ। ଏ କ୍ଷେତ୍ରରେ ଛାଡ଼ପତ୍ର ଦେବା ପରମଜିତଙ୍କ ପ୍ରତି ଅନ୍ୟାୟ ହେବ।
Powered by Froala Editor