ଇସ୍ତଫା ଦେଲେ ଚନ୍ଦିରା ପ୍ରିୟଙ୍କା, କହିଲେ ‘ଭେଦଭାବ ଆଉ ବରଦାସ୍ତ ହେଲାନି’

ଜାତିଗତ ଓ ଲିଙ୍ଗଗତ ଭେଦଭାବରେ ଅତିଷ୍ଟ ହୋଇ ପୁଡୁଚେରୀର ଏକମାତ୍ର ମହିଳା ବିଧାୟିକା ତଥା କ୍ୟାବିନେଟ୍ ମନ୍ତ୍ରୀ ଚନ୍ଦିରା ପ୍ରିୟଙ୍କା ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ସେ ନିଜ ଇସ୍ତଫା ପତ୍ର ତାଙ୍କ ସଚିବଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି।
ଚନ୍ଦିରା ପ୍ରିୟଙ୍କା ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, ତାଙ୍କ ନିର୍ବାଚନୀ ମଣ୍ଡଳିର ଲୋକଙ୍କ ମଧ୍ୟରେ ତାଙ୍କର ଲୋକପ୍ରିୟତା ଥିବାରୁ ସେ ବିଧାନସଭାରେ ପହଞ୍ଚିପାରିଥିଲେ। କିନ୍ତୁ ଲିଙ୍ଗଗତ ଓ ଜାତିଗତ ପକ୍ଷପାତିତା ଷଡ଼ଯନ୍ତ୍ରର ରାଜନୀତିରୁ ନିଜକୁ ଦୂରେଇବା ଏତେ ସହଜ ନୁହେଁ ବୋଲି ସେ ଅନୁଭବ କଲେ। ସେ କହିଛନ୍ତି, 'ମୋତେ ମଧ୍ୟ କ୍ରମାଗତ ଭାବରେ ଟାର୍ଗେଟ କରାଯାଇଥିଲା। ଷଡ଼ଯନ୍ତ୍ରର ରାଜନୀତି, ଧନ ବଳ ଓ ପ୍ରଭାବଶାଳୀ ଲୋକଙ୍କ ସହ ଲଢ଼ିବା ସହଜ ନୁହେଁ। ତେଣୁ ଏହାକୁ ମୁଁ ଆଉ ବରଦାସ୍ତ କରିପାରିବି ନାହିଁ।'
୨୦୨୧ରେ ନେଦୁନକାଡୁର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ଚନ୍ଦିରା ପ୍ରିୟଙ୍କା। ଦୀର୍ଘ ୪୦ ବର୍ଷ ପରେ ପ୍ରିୟଙ୍କା ହେଉଛନ୍ତି ପ୍ରଥମ ମହିଳା ଯିଏକି କେନ୍ଦ୍ର ଶାସିତ ଅଞ୍ଚଳରେ ମନ୍ତ୍ରୀ ପଦ ପାଇଥିଲେ। ଏହା ପରେ ତାଙ୍କୁ ଏନ୍ ରଙ୍ଗାସ୍ୱାମୀଙ୍କ ନେତୃତ୍ୱରେ ମିଳିତ ମନ୍ତ୍ରିମଣ୍ଡଳରେ ପରିବହନ ବିଭାଗର ଦାୟିତ୍ୱ ଦିଆଯାଇଥିଲା। ସେ ମଙ୍ଗଳବାର ପକ୍ଷପାତିତା ଅଭିଯୋଗ ଆଣି ଏଆଇଏନ୍ଆର୍ସି- ବିଜେପିର ମିଳିତ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ତେବେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀ ଚନ୍ଦିରାଙ୍କ ଇସ୍ତଫା ପତ୍ର ବାବଦରେ ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି।
Powered by Froala Editor