ବ୍ଲାକ୍ ଫଙ୍ଗସ୍ ପାଇଁ ବାହାରିଲା ଔଷଧ, ୨୦୦ ଟଙ୍କା ମୂଲ୍ୟ ରହିପାରେ
କରୋନାରୁ ଭଲ ହେବା ପରେ ବ୍ଲାକ୍ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବଢୁଛି । ଯାହାକି ଚିନ୍ତାର କାରଣ ପାଲଟିଛି । ତେଣୁ ଏଥିପାଇଁ ନୂଆ ମେଡିସିନ ବାହାର କରାଯାଇଛି ।ଆଇଆଇଟି ହାଇଦ୍ରାବାଦର ଗବେଷକମାନେ ଘାତକ ବ୍ଳାକ୍ ଫଙ୍ଗସ୍ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ଆମ୍ଫାଟେରିସିନ୍ ବି ଇଞ୍ଜେକସନ୍ର ବଦଳରେ ତାହାର ଏକ ବଟିକା ସଂସ୍କରଣ ଉଦ୍ଭାବନ କରିଛନ୍ତି । ଦୀର୍ଘ ୨ ବର୍ଷର ଗବେଷଣା ପରେ ଗବେଷକମାନେ ଏବେ ଏହି ବଟିକାର ବ୍ୟବସାୟିକ ପ୍ରସ୍ତୁତି ପାଇଁ କୌଣସି ଉପଯୁକ୍ତ ଭେଷଜ କମ୍ପାନୀକୁ ସମ୍ପୃକ୍ତ ଜ୍ଞାନକୌଶଳ ପ୍ରଦାନ କରାଯିବ ବୋଲି କହିଛନ୍ତି ।
ଏଥିପାଇଁ ପ୍ରସ୍ତୁତ ହୋଇଥିବା ୬୦ ମିଲିଗ୍ରାମ ବଟିକାର ମୂଲ୍ୟ ମାତ୍ର ୨୦୦ ଟଙ୍କା ଭିତରେ ପଡ଼ିବ ବୋଲି ସେମାନେ ଆଶା ରଖିଛନ୍ତି । ଏଥିସହିତ ଉକ୍ତ ବଟିକା ମନ୍ଥର ତଥା ଦୀର୍ଘକାଳୀନ ମୋଚନ ପ୍ରକ୍ରିୟା ବୃକକ୍କୁ ବିଷକ୍ତୀକରଣରୁ ବଞ୍ଚାଇବ ।ଆମ୍ଫୋଟେରିସିନ୍ ଇଞ୍ଜେକସନ୍ ଅପେକ୍ଷା ଏହା ସହଜଲବ୍ଧ ଓ ଉପାଦେୟ ସାବ୍ୟସ୍ତ ହେବ ବୋଲି ଏହାର ଗବେଷକ ପ୍ରାଧ୍ୟାପକ ସପ୍ତର୍ଷି ମଜୁମଦାର ଓ ଡ. ଚନ୍ଦ୍ରଶେଖର ଶର୍ମା କହିଛନ୍ତି ।
ଦେଶର ସମ୍ପ୍ରତି ଆମ୍ଫୋଟେରିସିନ୍ –ବି ଇଞ୍ଜେକସନ୍ ଉତ୍କଟ ଅଭାବ ସାଙ୍ଗକୁ ଦିନକୁ ଦିନ ଅଧିକରୁ ଅଧିକ ମ୍ୟୁକୋର୍ମାଇକୋସିସ୍ ମାମଲା ପରିଲକ୍ଷିତ ହେଉଥିବା ବେଳେ ଆଇଆଇଟି ଗବେଷକମାନଙ୍କ ଏହି ନୂତନ ଗବେଷଣା ରୋଗୀଙ୍କ ପାଇଁ ବରଦାନ ସଦୃଶ ହେବ ବୋଲି ଆଶା କରାଯାଉଛି ।
Powered by Froala Editor