କରୋନାରେ ଅକ୍ଷୟଙ୍କ ଉଦାରତା: ଫିଲ୍ମ ଇଣ୍ଡଷ୍ଟ୍ରିର ୩୬୦୦ ଡ୍ୟାନ୍ସରଙ୍କୁ ରାସନ ଯୋଗାଇବେ
କରୋନା ସମୟରେ ଅନେକ ଲୋକ କାମଧନ୍ଦା ହରାଇ ଅସୁବିଧାରେ ଚଳୁଛନ୍ତି । କିଛି ସଂସ୍ଥା ଯୋଗୁଁ ଗରିବଙ୍କ ପେଟ ପୂରୁଛି । ହେଲେ ଛୋଟ କଳାକାରମାନଙ୍କ ଜୀବନ ମଧ୍ୟ ଦୁର୍ବିସହ ହୋଇପଡିଛି । ସେହିଭଳି କଳାକାରମାନଙ୍କୁ ସହାୟତାର ହାତ ବଢାଇଛନ୍ତି ବଲିଉଡ ଷ୍ଟାର୍ ଅକ୍ଷୟ କୁମାର । ସେ ୩୬୦୦ ଡ୍ୟାନ୍ସରଙ୍କୁ ପ୍ରତି ମାସରେ ମାଗଣା ରାସନ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ବଲିଉଡର ଜଣାଶୁଣା କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ନିକଟରେ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି ।
କୋରିଓଗ୍ରାଫର ଗଣେଶ କହିଛନ୍ତି, ଅକ୍ଷୟ ତାଙ୍କର ୫୦ ତମ ଜନ୍ମଦିନରେ ତାଙ୍କୁ କ'ଣ ସାହାଯ୍ୟ କରିପାରିବେ ବୋଲି ପଚାରିଥିଲେ। ଏହା ପରେ ଗଣେଶ ଅକ୍ଷୟଙ୍କୁ ଇଣ୍ଡଷ୍ଟ୍ରିର ୧,୬୦୦ ଜୁନିଅର ଡ୍ୟାନ୍ସର ଏବଂ ୨,୦୦୦ ବ୍ୟାକଗ୍ରଉଣ୍ଡ ଡ୍ୟାନ୍ସରଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ଏହାପରେ ଅକ୍ଷୟ ଗଣେଶଙ୍କ ଅନୁରୋଧ ରକ୍ଷା କରିବା ପାଇଁ ଏଭଳି ପଦକ୍ଷେପ ଉଠାଇଛନ୍ତି ବୋଲି ଗଣେଶ କହିଛନ୍ତି । ଗଣେଶ ଆହୁରି କହିଛନ୍ତି, ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଆରମ୍ଭ ହେବ । ଡ୍ୟାନ୍ସର କିମ୍ବା କୋରିଓଗ୍ରାଫର ପ୍ରତି ମାସରେ ଟଙ୍କା କିମ୍ବା ରାସନ କିଟ୍ ପାଇବେ । ଗଣେଶ କହିଛନ୍ତି ଯେ 'ମୋ ପତ୍ନୀ ଗଣେଶ ଆଚାର୍ଯ୍ୟ ଫାଉଣ୍ଡେସନ ମାଧ୍ୟମରେ ଏହି କାମ ସହ ଜଡିତ ଅଛନ୍ତି। ସେ ବ୍ୟକ୍ତିଗତ ଭାବେ ପ୍ୟାକିଂ ଏବଂ ବିତରଣର ତଦାରଖ କରୁଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ, ଏହାପୂର୍ବରୁ ମଧ୍ୟ ଅକ୍ଷୟ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ସେ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍ କନସେନଟ୍ରେଟରର ବ୍ୟବସ୍ଥା କରିଥିଲେ ।
Powered by Froala Editor