ଆକାଶରୁ ଖସିଲା ସନ୍ଦିଗ୍ଧ ବେଲୁନ, ଗଛରେ ଫାଟି ଝୁଲିପଡ଼ିଲା ଯନ୍ତ୍ରାଂଶ

କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବିରିକଳା ଗ୍ରାମରେ ଆକାଶରୁ ବେଲୁନ ସହ ଲଗାଯାଇଥିବା ଏକ ଯନ୍ତ୍ରାଂଶ ଖସିପଡିଛି । ଫଳରେ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀମାନେ ଭୟଭିତ ହୋଇପଡିଥିବା ଜଣାପଡିଛି । ଖବର ପାଇବା ପରେ ପୁଲିସ ଏହାର ଯାଞ୍ଚ ଆରମ୍ଭ କରିଛି । ବେଲୁନଟି କୌଣସି ଗୋଇନ୍ଦା ବିଭାଗର ବୋଲି ପ୍ରଥମେ ସନ୍ଦେହ କରାଯାଉଥିବା ବେଳେ ଏହା ପାଣିପାଗ ବିଭାଗର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ସୁଚନା ଅନୁଯାୟୀ ସୋମବାର ସକାଳୁ କିଛି ଲୋକ ମହୁଲ ଫୁଲ ଗୋଟାଇବାକୁ ଯାଇଥିବା ବେଳେ ଏକ ଆମ୍ବ ଗଛ ଡାଳରେ ଏହି ଯନ୍ତ୍ରାଂଶରେ ସନ୍ଦିଗ୍ଦ ଅବସ୍ଥାରେ ଝୁଲୁଥିବା ସହିତ ଏକ ବିରାଟକାୟ ବେଲୁନ ତଳେ ଫାଟିପଡିଥିବା ଦେଖିବାକୁ ମିଳିଥିଲା । ଏହି ଖବରଟି ପ୍ରଘଟ ହେବା ପରେ ବେଲୁନ ଦେଖିବାକୁ ଗ୍ରାମବାସୀମାନଙ୍କର ଭିଡ ଜମିଥିଲା । ବେଲୁନଟି ଗଛରେ ପିଟି ହୋଇ ଫାଟିଯିବା ଫଳରେ ଏଥିରେ ଖଞ୍ଜା ଯାଇଥିବା ଯନ୍ତ୍ରଂଶଟି ଏହି ଆମ୍ବ ଗଛରେ ଝୁଲିରହିଥିଲା ।ତେବେ ଝୁଲୁଥିବା ଏହି ଯନ୍ତ୍ରାଂଶଟିରେ ଲାଗିଥିବା ଇଣ୍ଡିକେଟରଟି ମିଲିମିଲି କରୁଥିବା ଦେଖିବାକୁ ମିଳିଛି । ଖବର ପାଇବା ପରେ ଘଟଣାସ୍ଥଳରେ ଯୋଡା ପୁଲିସ ପହଞ୍ଚି ଏହାର ଯାଞ୍ଚ ଆରମ୍ଭ କରିଛି । ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଦଳର ସାହାଯ୍ୟ ନିଆଯିବ ବୋଲି ପୁଲିସ ସୂଚନା ଦେଇଛି ।
Powered by Froala Editor