ରାଜ୍ୟ କ୍ୟାବିନେଟ: ଘରୋଇ ଡିଲରଙ୍କ କାର୍ୟ୍ୟକାଳ ୬ମାସ ବୃଦ୍ଧି ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରାୟ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ, ଘରୋଇ ଡିଲରଙ୍କ କାର୍ୟ୍ୟକାଳ ପୁଣି ୬ମାସ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ଘରୋଇ ଡିଲରମାନଙ୍କ କାର୍ୟ୍ୟକାଳ ୨୦୨୩ ମାର୍ଚ୍ଚ ୩୧ତାରିଖରେ ଶେଷ ହେଉଥିଲା । ଶେଷଥର ପାଇଁ ରାଜ୍ୟ ସରକାର ୨୦୨୨ ଅକ୍ଟୋବର ୧ତାରିଖରୁ ସେମାନଙ୍କର କାର୍ୟ୍ୟକାଳକୁ ୬ମାସ ପର୍ୟ୍ୟନ୍ତ ବଢ଼ାଇଥିଲେ। ଏବେ ରାଜ୍ୟରେ ପ୍ରାୟ ୭ହଜାର ଘରୋଇ ଡିଲର ଏହା ଦ୍ୱାରା ଉପକୃତ ହେବେ । ତେବେ ୨୦୧୬ ମାର୍ଚ୍ଚ ୧୬ତାରିଖରେ ରାଜ୍ୟ ସରକାର ଓଡ଼ିଶା ପିଡିଏସ୍ କଣ୍ଟ୍ରୋଲ ଅର୍ଡରର ବିଜ୍ଞପ୍ତି ଜାରି କରି ୨ବର୍ଷ ମଧ୍ୟରେ ଘରୋଇ ଡିଲର ବ୍ୟବସ୍ଥାର ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଗତ ୭ବର୍ଷ ଧରି ସେମାନଙ୍କର କାର୍ୟ୍ୟକାଳକୁ ବଢ଼ାଇ ଚାଲିଛନ୍ତି।
ସେହିପରି କ୍ୟାବିନେଟରେ ଆପାର୍ଟମେଂଟ ଓନରସିପ୍ ସଂଶୋଧନ ବିଲକୁ ମଞ୍ଜୁରୀ ମିଳିଛି । ଓଡ଼ିଶା ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ରେରା ଆକ୍ଟ -୨୦୧୬ର ପ୍ରାବଧାନ ଓ ଓଡ଼ିଶା ଆପାର୍ଟମେଂଟ ଓନରସିପ୍ (ସଂଶୋଧନ) ରୁଲସ-୨୦୨୧ର ପ୍ରାବଧାନ ପରସ୍ପରବିରୋଧୀ ହୋଇଥିବାରୁ ସେ ନେଇ ସରକାରଙ୍କଠୁ ଜବାବ ଲୋଡ଼ିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏହି ଆପାର୍ଟମେଂଟ ଓନରସିପ୍ ଆଇନରେ ସଂଶୋଧନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି।
ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଏକ ଗୋଶାଳା ନିର୍ମାଣ ପାଇଁ ରାଜ୍ୟ ସରକାର ମାଗଣା ଜମି ଯୋଗାଇ ଦେବେ । ସମବାୟ ନିବନ୍ଧକ କ୍ୟାଡ଼ର ପୁନର୍ଗଠନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏହାବ୍ୟତୀତ ପଂଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କ କ୍ୟାଡ଼ର ରୁଲସ ସଂକ୍ରାନ୍ତ ପ୍ରସ୍ତାବକୁ ମଧ୍ୟ ଆଜିର ବୈଠକରେ ଅନୁମୋଦନ ମିଳିଥିବା ସୂଚନା ମିଳିଛି ।
Powered by Froala Editor