ପ୍ଲେ ଷ୍ଟୋର ନୀତିରେ ଦୁରୁପଯୋଗ : ଗୁଗଲ ପୁଣି ଦେବ ୯୩୬.୪୪ କୋଟି ଜରିମାନା
ସର୍ଚ୍ଚ ଇଞ୍ଜିନ ଗୁଗଲର ଏକଚାଟିଆକୁ ରୋକିବା ପାଇଁ ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ପୁଣି ଥରେ ଜରିମାନା ଲାଗୁ କରିଛି । ସିସିଆଇ ଗୁଗଲ ଉପରେ ୯୩୬.୪୪ କୋଟି ଟଙ୍କା ଜରିମାନା ଲାଗୁ କରିଛି । ଅକ୍ଟୋବର ମାସରେ ଦ୍ୱିତୀୟ ଥର ପାଇଁ ଗୁଗଲ ଉପରେ ଏହିପରି ଜରିମାନା ଲାଗୁ କରାଯାଇଛି ।
ଏହା ୭ ଦିନ ପୂର୍ବରୁ ଗୁଗଲ ଉପରେ ସିସିଆଇ ୧୩୩୮ କୋଟି ଟଙ୍କାର ଜରିମାନା ଲାଗୁ କରିଥିଲା । ଏହିପରି ଚଳିତ ମାସରେ ଗୁଗଲ ଉପରେ ୨୩୦୦ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି । ପ୍ଲେ ଷ୍ଟୋର ନୀତିରେ ଗୁଗଲର ଦବଦବା ରହିଥିବା ବେଳେ ଏହାକୁ କମ୍ପାନୀ ନିଜର ଫାଇଦା ପାଇଁ ଅପବ୍ୟବହାର କରୁଛି। ତେଣୁ ୨୦୨୦ର କେସ୍ ନଂ ୭, ୨୦୨୧ର ୧୪ ଓ ୨୦୨୧ର ୩୫ ନଂ ମାମଲାରେ ସିସିଆଇ ଗୁଗଲ ଉପରେ ଆର୍ଥିକ ଜୋରିମାନା ୯୩୬.୪୪ କୋଟି ଲାଗୁ କରିଛି।
ଉଲ୍ଲେଖଯୋଗ୍ୟ ଯେ, ଗୁଗଲ ଆଣ୍ଡ୍ରଏଡ୍ ଓଏସର ପରିଚାଳନା କରିଥାଏ । ଏଥିପାଇଁ ଅନ୍ୟ କମ୍ପାନି ଗୁଡିକୁ ମଧ୍ୟ ଲାଇସେନ୍ସ ଜାରି କରାଯାଇଥାଏ । ଗୁଗଲର ଓଏସ ଏବଂ ଆପର ବ୍ୟବହାର ଓଇଏମଏସ ଅର୍ଥାତ ଅରିଜିନାଲ ଇକ୍ୱିପମେଣ୍ଟ ମ୍ୟାନୁଫେକର ନିଜ ମୋବାଇଲ ଡିଭାଇସ ପାଇଁ କରିଥାଏ । ଓଏସ ଏବଂ ଆପର ବ୍ୟବହାରକୁ ନେଇ ଅନେକ ପ୍ରକାର ଚୁକ୍ତି ହୋଇଥାଏ, ଏହାକୁ ମୋବାଇଲ ଆପ୍ଲିକେସନ ଡିଷ୍ଟ୍ରିବ୍ୟୁସନ ଏଗ୍ରୀମେଣ୍ଟ କୁହାଯାଏ।
କିନ୍ତୁ ଗୁଗଲ ଆଣ୍ଡ୍ରଏଡ୍ ମୋବାଇଲ୍ ଡିଭାଇସ୍ ସେଗମେଣ୍ଟରେ ଏହାର ଦୃଢ଼ ବଜାର ସ୍ଥିତିକୁ ସଂସ୍ଥା ଅପବ୍ୟବହାର କରୁଥିବାରୁ ୧୩୩୮ କୋଟି ଟଙ୍କାର ଜୋରିମାନା ଲାଗୁ କରାଯାଇଥିଲା। ଏଥିସହ ବେଆଇନ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ କରିବାକୁ ମଧ୍ୟ ସିସିଆଇ ଗୁଗଲକୁ ନିର୍ଦ୍ଦେଶ ଦେଇଥିଲା।
Powered by Froala Editor