ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ସୁଭଦ୍ରା : ଅଧା ଦିନ ଉପାସରେ କଟୁଛି, ପାଠ ପଢ଼ିବି କେମିତି ?

ପ୍ରକୃତ ପିତା ମାତା କିଏ ସେ ଜାଣିନାହିଁ। ମାତ୍ର ଅଢେଇ ମାସର ହେଇଥିବା ସମୟରୁ ମୂଷାଖୋରୀ ପଞ୍ଚାୟତ ମଲ୍ଲିପଶି ଗ୍ରାମର ସ୍ବର୍ଗତ ବିଜୟ କୁମାର ନାଏକ ଓ ପତ୍ନୀ ରମି ନାଏକଙ୍କ କୋଳରେ କନ୍ୟାର ପରିଚୟ ପାଇଥିଲା। ଏକ ମାତ୍ର ପାଳିତା କନ୍ୟାଙ୍କୁ ନେଇ ବିଜୟଙ୍କ ତିନି ଜଣିଆ ପରିବାର ଅଭାବ ଅନାଟନ ମଧ୍ୟରେ ଚାଲିଥିଲା। ହେଲେ ୨୦୧୯ ମସିହାରେ ଆଗ ପଛ ହୋଇ ବିଜୟ ଓ ତାଙ୍କ ପତ୍ନୀ ରମିଙ୍କର ଅକାଳ ବିୟୋଗ ପରେ ସୁଭଦ୍ରା ମୁଣ୍ଡରେ ବଜ୍ର ପଡ଼ିଥିଲା।
ପିତା ମାତାଙ୍କ ମୃତ୍ୟୁ ସମୟ ବେଳକୁ ସେ ମଲ୍ଲିପଶି ଜନତା ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବାରୁ ୬୦୦ ରୁ ୨୯୨ ନମ୍ବର ରଖି ପାସ କରିଥିଲା। +୨ ପାଠ ପଢ଼ିବାକୁ ଇଛା ଥିଲେବି ଅର୍ଥ ଅଭାବ ସୁଭଦ୍ରାର ଉଚ୍ଚ ଶିକ୍ଷା ରେ ବାଧକ ହୋଇଥିଲା। ପେଟ ଚାଖଣ୍ଡକ ପୋଷିବା ପାଇଁ ସେ ବାଧ୍ୟ ହୋଇ ମୂଲ ମଜୁରୀ କାମକୁ ଆପଣେଇ ନେଇଥିଲା। ତଥାପି ମଧ୍ୟ ସେ ଆଜି ଅର୍ଦ୍ଧାହାରରେ ଦିନ କାଟି ଆସୁଛି। ବାପା ମାଆ ଙ୍କ ମୃତ୍ୟୁ ପରେ ଅନାଥ ସୁଭଦ୍ରା ପୁରୁଣା ଘରଟି ମରାମତି କରି ପାରୁନଥିବାରୁ ଘର ଫାଟି ଆଁ କଲାଣି। ମାସିକ ଦେୟ ନଦେଇ ପାରିବାରୁ ବିଜୁଳି ବିଭାଗ ତାଙ୍କ ଘରର ଯୋଗାଯୋଗ ମଧ୍ୟ କାଟି ଦେଇଛି। ଏପରି ସ୍ଥିତିରେ ଅନାଥ ସୁଭଦ୍ରା ଏକୁଟିଆ ରାତି ଘରେ ରହିବାକୁ ମଧ୍ୟ ଭୟ କରୁଥିବାରୁ ବାଧ୍ୟ ହୋଇ ପଡୋଶୀଙ୍କ ଘରେ ରାତିରେ ମୁଣ୍ଡ ଗୁଞ୍ଜୁ ଥିବା ବେଳେ ଦିନ ବେଳେ ମୂଲ ମଜୁରୀ ଲାଗୁଛି।
ଉଚ୍ଚ ଶିକ୍ଷା ପାଇଁ ଆଶା ବାନ୍ଧିଥିବା ସୁଭଦ୍ରା ପାଇଁ ଅର୍ଥ ଓ ଆବାସର ଆବଶ୍ୟକତା ଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ରେ ତାହାର ଦୁଃଖ ଜଣାଇଥିବା ସୂଚନା ଦେଇଛି।
Powered by Froala Editor