ଚନ୍ଦ୍ରକାନ୍ତ ପଣ୍ଡିତ କେକେଆର ନୂଆ କୋଚ ନିଯୁକ୍ତ
କୋଲକାତା ନାଇଟ ରାଇଡର୍ସ(କେକେଆର) ଆଜି ଦଳର ମୁଖ୍ୟ କୋଚଙ୍କ ନାଁ ଘୋଷଣା କରିଛି। ପୂର୍ବତନ କ୍ରିକେଟର ତଥା ଘରୋଇ କ୍ରିକେଟର କିମ୍ବଦନ୍ତୀ କୋଚ୍ ଚନ୍ଦ୍ରକାନ୍ତ ପଣ୍ଡିତ କେକେଆରର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି। ଏନେଇ କେକେଆର୍ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଚନ୍ଦ୍ରକାନ୍ତଙ୍କ ପୂର୍ବରୁ କେକେଆରର ମୁଖ୍ୟ କୋଚ ନ୍ୟୁଜିଲାଣ୍ଡର ପୂର୍ବତନ ଭେଟେରାନ ବ୍ରାଣ୍ଡନ ମ୍ୟାକକୁଲମ ଥିଲେ। କିନ୍ତୁ ବର୍ତ୍ତମାନ ସେ ଇଂଲଣ୍ଡ ଟେଷ୍ଟ ଦଳର କୋଚ ହୋଇଛନ୍ତି। ଆଇପିଏଲର ପରବର୍ତ୍ତୀ ସିଜିନରୁ ଚନ୍ଦ୍ରକାନ୍ତ ଦଳର ନେତୃତ୍ୱ ନେବେ।
କେକେଆରର ସିଇଓ ଭେଙ୍କୀ କହିଛନ୍ତି, “ଆମେ ବେଶ ଉତ୍ସାହିତର ସହ ଘୋଷଣା କରିବାକୁ ଚାହୁଁଛୁ ଯେ ଚନ୍ଦୁ(ଚନ୍ଦ୍ରକାନ୍ତ ପଣ୍ଡିତ) ନାଇଟ ରାଇଡର୍ସ ପରିବାର ସହ ଯୋଡ଼ି ହେବାକୁ ଯାଉଛନ୍ତି। ଏଥିସହ ସେ ଆମର ଆଗାମୀ ଯାତ୍ରାରେ ନେତୃତ୍ୱ ନେବେ। ସେ କ’ଣ କରିଛନ୍ତି ଓ ଘରୋଇ କ୍ରିକେଟରେ ସେ ହାସଲ କରିଥିବା ସଫଳତା ସମ୍ପର୍କରେ ସମସ୍ତେ ଅବଗତ। ଆମ ଅଧିନାୟକ ଶ୍ରେୟସ ଆୟରଙ୍କ ସହ ତାଙ୍କର ପାର୍ଟନରଶିପକୁ ଆମେ ବେଶ ଉତ୍ସୁକତାର ସହ ଦେଖିବାକୁ ଅପେକ୍ଷା କରିଛୁ।”
ଚନ୍ଦ୍ରକାନ୍ତ ପଣ୍ଡିତଙ୍କ କୋଚିଂ ଅଧୀନରେ ବିଭିନ୍ନ ଦଳ ରଣଜୀ ଟ୍ରଫି ଦଖଲ କରିଛନ୍ତି। ତାଙ୍କ କୋଚିଂ ଅଧୀନରେ ୨୦୦୩, ୨୦୦୪, ୨୦୧୬ରେ ମୁମ୍ବାଇ ରଣଜୀ ଟ୍ରଫି, ୨୦୧୮, ୨୦୧୯ରେ ବିଦର୍ଭ ଏବଂ ଚଳିତ ବର୍ଷ ୨୦୨୨ରେ ମଧ୍ୟପ୍ରଦେଶ ରଣଜୀ ଟ୍ରଫି ଜିତିଛି। ଚନ୍ଦ୍ରକାନ୍ତ ପଣ୍ଡିତ ଜଣେ ୱିକେଟ କିପର ବ୍ୟାଟର ଭାବେ ଜଣାଶୁଣା ଥିଲେ। ସେ ଭାରତ ପାଇଁ ୫ଟି ଟେଷ୍ଟ ଓ ୩୬ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଘରୋଇ କ୍ରିକେଟରେ ପଣ୍ଡିତ ୪୮ ହାରରେ ୮ ହଜାରରୁ ଅଧିକ ରନ କରିଥିଲେ।
Powered by Froala Editor