ମଲଟିସ୍ପେଶିଆଲିଟି ହସପିଟାଲରେ ନିଆଁ : ୧୦ ଜଣଙ୍କର ମୃତ୍ୟୁ
ସୋମବାର ଅପରାହ୍ଣରେ ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାରେ ନିଆଁ ଲାଗି ଯିବାରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଜବଲପୁର ଜିଲ୍ଲାର ଗୋହାଲପୁର ଥାନା ଅଂଚଳରେ ଆସୁଥିବା ନ୍ୟୁଲାଇଫ୍ ମଲଟିସ୍ପେଶିଆଲିଟି ହସପିଟାଲରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ସମଗ୍ର ହସପିଟାଲକୁ ବ୍ୟାପିଯାଇଥିଲା । ଶର୍ଟ ସର୍କିଟ୍ ଯୋଗୁ ଡାକ୍ତରଖାନାରେ ନିଆଁ ଲାଗିଥିବା କୁହାଯାଉଛି। ତଳ ମହଲାରେ ଶର୍ଟ ସର୍କିଟ୍ ହୋଇ ପ୍ରଥମେ ନିଆଁ ଲାଗିଥିଲା। ପରେ ଏହା ଡାକ୍ତରଖାନାର ପୂରା ତିନି ମହଲାକୁ ବ୍ୟାପୀ ଯାଇଥିଲା।
ଏହି ଅଗ୍ନିକାଣ୍ଡ ରେ ଏପର୍ଯ୍ୟନ୍ତ ୧୦ ଜଣ ଲୋକ ମୃତ୍ୟୁବରଣ କରିଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେହିପରି ଆଉ କିଛି ଲୋକ ଗୁରୁତର ଆହତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଯାଉଛି ଓ ଲୋକମାନଙ୍କୁ ଉଦ୍ଧାର କରାଯାଉଛି ।
ଜବଲପୁର ଏସ୍ପି ସିଦ୍ଧାର୍ଥ ବହୁଗୁଣା କହିଛନ୍ତି, ମୃତକଙ୍କ ମଧ୍ୟରୁ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକମାନଙ୍କୁ ଚିହ୍ନଟ କରାଯାଇଛି। ଯେଉଁ ୩ ଜଣ ଗୁରୁତର ଆହତ ହୋଇଛନ୍ତି, ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହାବାଦ୍ ଆହୁରି ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ନିଆଁ ଲିଭାଇ ଦିଆଯାଇଥିବା ବେଳେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
Powered by Froala Editor