ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଲେ ଧର୍ମେନ୍ଦ୍ର
ଭୁବନେଶ୍ୱର : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥିନୀ ଭାବରେ ଘୋଷଣା ହେବା ଆମ ରାଜ୍ୟ ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ ମାଧ୍ୟମରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ, ସ୍ୱାଧୀନତ୍ତୋର ଭାରତର ପ୍ରଥମ ଜନଜାତି ମହିଳା ଏବଂ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ଏହି ଗରିମାମୟ ପଦବୀ ପାଇଁ ପ୍ରାର୍ଥୀ ଭାବରେ ଚୟନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ । ରାଷ୍ଟ୍ରପତି ପଦବୀ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ଚୟନ କରି ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ।
ଜନଜାତି ପରିବାରୁ ଆସିଥିବା ଦ୍ରୌପଦୀ ମୁର୍ମୁ ଜୀବନବ୍ୟାପୀ ଗରିବ ଓ ଅସହାୟଙ୍କ ସେବା କରିଛନ୍ତି । ତାଙ୍କର ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଭଲ ଅଭିଜ୍ଞତା ରହିଛି । ଆମ ଦଳ ତାଙ୍କ ଭଳି ଜଣେ କର୍ମଯୋଗୀ ମହିଳା ଓ ଉଦାର ବ୍ୟକ୍ତିତ୍ୱଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ କରିବା ନିଷ୍ପତିକୁ ମୁଁ ସ୍ୱାଗତ କରୁଛି । ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରାର୍ଥୀ କରି ମହିଳା, ଜନଜାତି ସମୁଦାୟ, ପଛୁଆ, ଦଳିତ, ବଞ୍ଚିତ, ଗରିବଙ୍କ ପାଇଁ ପୁଣି ଥରେ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଓଡ଼ିଶାର ମାନବ ପୁଞ୍ଜିକୁ ବାରମ୍ବାର ସମ୍ମାନିତ କରୁଥିବାରୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଋଣି ବୋଲି ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।
Powered by Froala Editor