ଆଜି ଦେଶରେ ୩ହଜାର ଉପରେ ସଂକ୍ରମଣ
ଭୁବନେଶ୍ୱର: ଫେରୁଛି କରୋନା । ଦେଶରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ଓ ମୃତୁ୍ୟସଂଖ୍ୟା ହ୍ରାସ ପାଇବାରେ ଲାଗିଥିଲା । କିନ୍ତୁ ଏବେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ଏବଂ ମୃତୁ୍ୟ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି । ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୩ ହଜାର ଟପିଛି । ଏହା ୩ ହଜାର ୧୫୭ରେ ପହଂଚିଛି ।
ସେହିପରି ଏହି ସମୟ ମଧ୍ୟରେ ମୃତୁ୍ୟ ସଂଖ୍ୟା ୨୬ ରହିଛି । ଏହି ସମୟରେ ସକ୍ରିୟ ମାମଲା୧୯ ହଜାର ଟପିଛି । ଏହା ୧୯ ହଜାର ୫୦୦ ରହିଛି । ସେହିପରି ୨ ହଜାର ୭୨୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।
ଅନ୍ୟପଟେ ଦେଶରେ ଟିକାକରଣ ସଂଖ୍ୟା ୧୮୯ କୋଟି ୨୦ ଲକ୍ଷରୁ ଅଧିକ ଟପିଛି । ସେଥିମଧ୍ୟରେ ୯୧ କୋଟି ୪୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍ ଥିବାବେଳେ ୮୧ କୋଟି ୨୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍ ରହିଛି । ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି ।
ଆଜି ଦିଲ୍ଲୀରେ ସର୍ବାଧିକ ୧,୪୮୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିପରି ହରିୟାଣାରେ ୪୭୯ ଜଣ, କେରଳରେ ୩୧୪ ଜଣ, ଉତ୍ତରପ୍ରଦେଶରେ ୨୬୮ ଜଣ, ମହାରାଷ୍ଟ୍ରରେ ୧୬୯ ଜଣ କର୍ଣ୍ଣାଟକରେ ୧୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Powered by Froala Editor