ଶୋଭାଯାତ୍ରାବେଳେ ଖଣ୍ଡା ବୁଲିଲା
ପଞ୍ଜାବର ପଟିଆଲାରେ ଆୟୋଜିତ ଖଲିସ୍ଥାନ ବିରୋଧୀ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ମାରପିଟ ଦେଖିବାକୁ ମିଳିଛି। ଉଭୟ ପକ୍ଷ ଖଣ୍ଡା ଧରି ଆତଙ୍କ ଖେଳାଇଥିଲେ । ସ୍ଥିତି ବେକାବୁ ହେବାରୁ ପୁଲିସ୍ ପକ୍ଷରୁ ମଧ୍ୟ ଫାଙ୍କା ଗୁଳି ଚାଳନା କରାଯାଇଛି। ଏହି ଗୋଷ୍ଠୀ ସଂଘର୍ଷରେ ଅତି କମରେ ୨ ଜଣ ଆହତ ହୋଇଛନ୍ତି। ଘଟଣାକୁ ନେଇ ସହରରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।
ପଟିଆଲାରେ ଶୁକ୍ରବାର ଶିବସେନା କାର୍ଯ୍ୟକର୍ତ୍ତା ଖଲିସ୍ଥାନ ବିରୋଧି ଶୋଭାଯାତ୍ରା ଆରମ୍ଭ କରିଥିଲେ । ଏହି ଘଟଣାକୁ ନେଇ ବିଭିନ୍ନ ଶିଖ୍ ସଙ୍ଗଠନ ଓ ହିନ୍ଦୁ କାର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ଉଭୟ ପକ୍ଷ ପରସ୍ପରକୁ ଖଣ୍ଡା ଦେଖାଇ ଭୟଭୀତ କରାଇଥିଲେ ।
ଶିବସେନା ନେତା ହରିଶ ସିଙ୍ଗଲା କହିଛନ୍ତି ଯେ, ଶିବସେନା କେବେବି ପଞ୍ଜାବରେ ଖଲିସ୍ଥାନ ହେବାକୁ ଦେବ ନାହିଁ । ଖଲିସ୍ଥାନର ନାଁ ଯେଉଁମାନେ ନେଉଛନ୍ତି ସେମାନଙ୍କୁ ବିରୋଧ କରାଯିବ ।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ହିଂସାକାରୀଙ୍କୁ ଛଡ଼ା ଯିବନି ବୋଲି ଚେତାବାନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି, “ପଟିଆଲାରେ ଘଟିଥିବା ହିଂସାକାଣ୍ଡ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୁଁ ବ୍ୟକ୍ତିଗତ ଭାବେ ଡିଜିପିଙ୍କ ସହ କଥା ହୋଇଛି ଓ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଫେରିଛି। ଆମେ ସ୍ଥିତି ଉପରେ ନଜର ରଖିଛି ଓ ବିଶୃଙ୍ଖଳା ପାଇଁ କାହାକୁ ବି ଅନୁମତି ଦିଆଯିବନି। ”
ଜିଲ୍ଲା ପ୍ରଶାସନ ମଧ୍ୟ ସ୍ଥାନୀୟ ଲୋକଙ୍କୁ ଶାନ୍ତି ବଜାୟୀ ରଖିବାକୁ ନିବେଦନ କରିଛନ୍ତି। ଏଥିସହ ଦୁଇ ଗୋଷ୍ଠୀଙ୍କୁ ଆଲୋଚନା ମାଧ୍ୟମରେ ସମସ୍ତ ପ୍ରକାରର ବିବାଦ ଓ ଭୁଲ ବୁଝାମଣାର ସମାଧାନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
Powered by Froala Editor