କୋଇଲା ପରିବହନ ପାଇଁ ସାରା ଦେଶରେ ବାତିଲ ହେଲା ୬୭୦ ଟ୍ରେନ୍

ବିଜୁଳି ଚାହିଦା ବଢ଼ୁଥିବା ବେଳେ ଉତ୍ପାଦନ ପାଇଁ କୋଇଲାର ଅଭାବ ଦେଖିବାକୁ ମିଳିଛି। କୋଇଲା ସଙ୍କଟ ଯୋଗୁ ବିଜୁଳି ଅଭାବ ମଧ୍ୟ ଦେଖାଯିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଥର୍ମାଲ ପାୱାର ପ୍ଲାଣ୍ଟମାନଙ୍କରେ ଷ୍ଟକ୍ ହ୍ରାସର ମୁକାବିଲା ଲାଗି ରେଳବାଇ ଯୁଦ୍ଧକାଳୀନ ଭିତ୍ତିରେ କୋଇଲା ପରିବହନ ଆରମ୍ଭ କରିଛନ୍ତି। ଯୋଗାଣ ସୁଗମ କରିବା ଲାଗି ସାରା ଦେଶରେ ୬୭୦ଟି ଟ୍ରେନ ବାତିଲ ହୋଇଥିବା ରେଳବାଇ ଅଧିକାରୀମାନେ ଶୁକ୍ରବାର କହିଛନ୍ତି। ଏହିସବୁ ଟ୍ରେନକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ବାତିଲ କରାଯାଇଛି। କୋଇଲା ପରିବହନ ସମୟ ହ୍ରାସ ପାଇଁ ରେଳବାଇ ଏହି ପଦକ୍ଷେପ ନେଇଛନ୍ତି।
ତେବେ କୋଇଲା ପରିବହନ ପାଇଁ ଛତିଶଗଡରେ ବାତିଲ ହୋଇଥିବା ୩ ଟ୍ରେନର ଯାତ୍ରା ସ୍ୱଭାବିକ୍ କରିଦିଆଯାଇଛି। ଏହି ଟ୍ରେନଗୁଡିକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାତିଲ ହୋଇଥିଲେ। ତେବେ ସ୍ଥାନୀୟ ସାଂସଦଙ୍କ ବିରୋଧ ଯୋଗୁ ଟ୍ରେନଗୁଡିକୁ ପୁଣି ଚାଲୁ କରିଦିଆଯାଇଛି।
ଦେଶର ବିଭିନ୍ନ ଥର୍ମାଲ ପାୱାର ପ୍ଲାଣ୍ଟରେ ଏବେ କୋଇଲା ଶେଷ ହେବାକୁ ବସିଲାଣି। ଏଥିପାଇଁ ବିଜୁଳି ଉତ୍ପାଦନରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି କୋଇଲା ସପ୍ଲାଏକୁ ଜୋରଦାର କରାଯାଇଛି। ରେଳବାଇ ପକ୍ଷରୁ ଦୈନିକ ହାରାହାରି ୪୦୦ ରାକ ବା ବଗିରେ କୋଇଲା ପରିବହନ କରାଯାଉଛି। ଏହା ୫ ବର୍ଷ ମଧ୍ୟରେ ସର୍ବାଧିକ।
କେନ୍ଦ୍ରୀୟ ଇଲେକ୍ଟ୍ରିସିଟି ପ୍ରାଧିକରଣ(ସିଇଏ) ଦେଇଥିବା ସୂଚନା ଅନୁଯାୟୀ, ଦେଶର ୧୬୫ ଥର୍ମାଲ ପ୍ଲାଣ୍ଟ ମଧ୍ୟରୁ ୫୬ଟି ଷ୍ଟେସନରେ ୧୦% କିମ୍ବା ତା’ଠାରୁ କମ କୋଇଲା ରହିଛି। ସେହିପରି ୨୬ଟିରେ ୫%ରୁ କମ କୋଇଲା ଗଚ୍ଛିତ ହୋଇ ରହିଛି। ଏପରି ସ୍ଥିତିରେ ଯଦି କୋଇଲା ଠିକ୍ ସମୟରେ ନ ପହଞ୍ଚିବ, ତା’ହେଲେ ସମଗ୍ର ଦେଶରେ ବିଜୁଳି ସଙ୍କଟ ଦେଖାଯିବାର ଆଶଙ୍କା ପ୍ରକାଶ ପାଇଛି।
ନିୟମ ଅନୁଯାୟୀ କୌଣସି ପାୱାର ପ୍ଲାଣ୍ଟରେ ୧୫ ଦିନରୁ କମ୍ ଷ୍ଟକ୍ ରହିବା ଉଚିତ୍ ନୁହେଁ, କିନ୍ତୁ ଅଧିକାଂଶ ପ୍ଲାଣ୍ଟରେ କୋଇଲାର ଅଭାବ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର କୋଇଲା ପରିବହନକୁ ତ୍ୱରାନ୍ୱିତ କରିଛନ୍ତି।
Powered by Froala Editor