ଅଭାବନୀୟ: ଯାତ୍ରୀବାହୀ ବସ୍ରେ ନିଆଁ ଲଗାଇଥିଲେ ମାଓବାଦୀ
ମାଲକାନଗିରି: ରାତି ଅଧରେ ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲଗାଇଥିଲେ ଶତାଧିକ ନକ୍ସଲ । ବସ୍ରେ ଥିବା ୫୦ ପାଖାପାଖି ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍ଟି ଜଳି ପୋଡ଼ି ପାଉଁଶ ହୋଇ ଯାଇଛି। ଏପରି ଅଭାବନୀୟ ଘଟଣା ଗତକାଲି ରାତିରେ ଓଡ଼ିଶାର ମାଲକାନଗିରି ଜିଲ୍ଲା ମୋଟୁଠାରୁ ମାତ୍ର ୧୦ କିମି ଦୂର ଆନ୍ଧ୍ରପ୍ରଦେଶ କୁଟୁରଠାରେ ଘଟିଛି।
କୁଟୁରଠାରେ ଦଣ୍ଡକାରଣ୍ୟ ଡିଭିଜନ ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହି ସମୟରେ ପୋଷ୍ଟର, ବ୍ୟାନର ଲଗାଇ ଗାଡ଼ି ଚଳାଚଳ କରିବାକୁ ବାରଣ କରାଯାଇଥିଲା। ମାତ୍ର ଏକ ବସ୍ ଗତ ରାତିରେ ପ୍ରାୟ ୫୦ ଯାତ୍ରୀଙ୍କୁ ଧରି ମାଲକାନଗିରିରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା। କୁଟୁରଠାରେ ଶତାଧିକ ନକ୍ସଲ ରାସ୍ତା ଉପରକୁ ଆସି ଗାଡ଼ିଟିକୁ ଅଟକାଇଥିଲେ। ଡ୍ରାଇଭର, ହେଲପରଙ୍କୁ ଧମକଚମକ ଦେଇ ଯାତ୍ରୀମାନଙ୍କୁ ବାହାରି ଯିବାକୁ କହିଥିଲେ।
ଏହାପରେ ନକ୍ସଲମାନେ ଗାଡ଼ିର ଡିଜେଲ ଟାଙ୍କର ଖୋଲି ନିଆଁ ଲଗାଇ ଦେଇଥିଲେ। ଫଳରେ ଗାଡ଼ିଟି ହୁତହୁତ ହୋଇ ଜଳି ଉଠିଥିଲା। ଘଟଣାସ୍ଥଳରେ ପୁଲିସ୍ ତଦନ୍ତ ଜାରି ରହିଛି ।
Powered by Froala Editor