ମିଳିଲା ଅନୁମତି: ଅକ୍ଟୋବରରେ ବିକେ ଶର୍ମା ନେବେ ଅବସର!

ଭୁବନେଶ୍ୱର: ଓଡ଼ିଶା ପ୍ରିଂଣ୍ଟିଂ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ତଥା ୧୯୮୬ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ବିକେ ଶର୍ମା ଚଳିତବର୍ଷ ଅକ୍ଟୋବର ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେବା ପାଇଁ ରାଜ୍ୟ ସରକାର ଅନମୁତି ଦେଇଛନ୍ତି । ଶ୍ରୀ ଶର୍ମା ଅକ୍ଟୋବର ମାସରେ ୬୦ବର୍ଷ ବୟସରେ ଉପନୀତ ହେଉଥିବାରୁ ତାଙ୍କୁ ସରକାରୀ ଚାକିରିରୁ ଅବସର ନେବାକୁ ଗୃହ ବିଭାଗ ମଙ୍ଗଳବାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି । ଏହାସହିତ ରାଜ୍ୟ ଅଗ୍ନିଶମ ବାହିନୀର ଡିଜି ଭାବେ ଶ୍ରୀ ଶର୍ମାଙ୍କ କାର୍ୟ୍ୟକାଳରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ସରକାର ଗଢ଼ିଥିବା ୩ଜଣିଆ କମିଟି ତାଙ୍କୁ କ୍ଲିନଚିଟ୍ ଦେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଶର୍ମାଙ୍କୁ ୨୦୧୯ ନଭେମ୍ବର ୨୦ତାରିଖରେ ନାଟକୀୟ ଢଙ୍ଗରେ ପୁଲିସ ଡିଜି ପଦବୀରୁ ହଟାଇ ଦେଇ ରାଜ୍ୟ ସରକାର ତାଙ୍କ ବିରୁଦ୍ଧରେ ଅଗ୍ନିଶମ ସାର୍ଟିଫିକେଟ୍ ପ୍ରଦାନକୁ ନେଇ ବ୍ୟାପକ ଅନିୟମିତତାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୦୧୭ ନଭେମ୍ବର ୧ରୁ ୨୦୧୯ ଅକ୍ଟୋବର ମାସ ପର୍ୟ୍ୟନ୍ତ ଶ୍ରୀ ଶର୍ମା ଅଗ୍ନିଶମ ବାହିନୀର ମୁଖ୍ୟ ଭାବେ ଅଗ୍ନିଶମ ସାର୍ଟିଫିକେଟ୍ ପ୍ରଦାନରେ ବ୍ୟାପକ ଅନିୟମିତତା କରିଥିବାର ଅଭିଯୋଗ ଆଣି ତା’ର ତଦନ୍ତ ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସରକାର ୩ଜଣିଆ କମିଟି ଗଠନ କରିଥିଲେ । କମିଟିରେ ତତ୍କାଳୀନ ଉନ୍ନୟନ କମିଶନର ଓ ଗୃହ ସଚିବ ମଧ୍ୟ ସଦସ୍ୟ ଥିଲେ । ଏହି କମିଟି କେବେ ବୈଠକ କଲା ଓ କ’ଣ ରିପୋର୍ଟ ଦେଲା ତା’ର କେହି ଟେର ପାଇଲେନି । ଏପରିକି ଗୃହ ବିଭାଗର ଆଇପିଏସ୍ ସେକ୍ସନରେ ମଧ୍ୟ ଶ୍ରୀ ଶର୍ମାଙ୍କ ବିରୁଦ୍ଧରେ ହୋଇଥିବା ତଦନ୍ତର କୌଣସି ରେକର୍ଡ ବି ନଥିବା ଜଣାପଡ଼ିଛି ।
Powered by Froala Editor