ବିଦେଶ ଯାତ୍ରା କରିପାରିବେ ରାଣା ଆୟୁବ, ମିଳିଲା ଅନୁମତି
ମନିଲଣ୍ଡରିଂ ମାମଲାରେ ଇଡି ଜାଲରେ ଫସିଥିବା ସାମ୍ବାଦିକା ରାଣା ଆୟୁବ୍ ବିଦେଶ ଯାଇପାରିବେ। ଆଜି ଏହି ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ରାଣା ଆୟୁବଙ୍କୁ ବିଦେଶ ଗସ୍ତ ବେଳେ ଅଟକାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାଣା। କୋର୍ଟ ମାମାଲାର ଶୁଣାଣି କରି ରାଣାଙ୍କ ପକ୍ଷରେ ରାୟ ଶୁଣାଇଛନ୍ତି। ଆୟୁବଙ୍କ ପକ୍ଷରୁ ଓକିଲ ବ୍ରିନ୍ଦା ଗ୍ରୋଭର ଉପସ୍ଥିତ ହୋଇଥିଲେ ।
ମାମଲା ଲଢ଼ିଲା ବେଳେ ବୃନ୍ଦା କୋର୍ଟରେ ଯୁକ୍ତି ରଖିଥିଲେ ଯେ ତାଙ୍କ ମହକିଲ ରାଣା ସବୁବେଳେ ଇଡିଙ୍କ ସମ୍ପର୍କରେ ରହିଛନ୍ତି। ଏବଂ ସମସ୍ତ ପ୍ରକାର ସହଯୋଗ କରିବାକୁ ରାଜି ମଧ୍ୟ ଅଛନ୍ତି। ତେବେ କାହିଁକି ତାଙ୍କୁ ବିଦେଶ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ ହାଇକୋର୍ଟରେ ତର୍କ ରଖିଥିଲେ।
ସୂଚନା ଥାଉକି, ରାଣାଙ୍କ ବିରୋଧରେ ତିନୋଟି କମ୍ପାନୀରୁ ୨.୬୯ କୋଟି ଟଙ୍କାର ଡୋନେସନ୍ ନେଇଥିବାର ଅଭିଯୋଗ ହୋଇଛି। ସେଥିମଧ୍ୟରୁ ୮୦.୪୯ ଲକ୍ଷ ଟଙ୍କା ସେ ବିଦେଶୀ ମୁଦ୍ରା ଆକାରରେ ବିଦେଶରୁ ଆଣିଛନ୍ତି। ଏହା ଫରେନ୍ କଣ୍ଟ୍ରିବ୍ୟୁସନ ରେଗୁଲେସନ୍ ଆକ୍ଟ(FCRA) ଉଲ୍ଲଂଘନ ବୋଲି ଇଡି ଅଭିଯୋଗ କରିଛି। ଇଡିର କହିବା କଥା ହେଲା ରାଣାଙ୍କ ବିରୋଧରେ ଯେଉଁ ଦୁର୍ନୀତି ମାମଲା ଚାଲିଛି, ସେ ସେଥିରୁ ଖସିଯିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ତଦନ୍ତରେ ସହଯୋଗ କରୁ ନହାନ୍ତି କି ଆସୁ ନାହାଁନ୍ତି ବୋଲି ଇଡି ଅଭିଯୋଗ କରିଛି। ହେଲେ ରାଣାଙ୍କ ଓକିଲ ବ୍ରିନ୍ଦା ଇଡିର ଏହି ଦାବିକୁ କୋର୍ଟରେ ଖାରଜ କରିଛନ୍ତି।
Powered by Froala Editor