ଏବର୍ଷ ଫି’ ବଢ଼ାଇ ପାରିବେନି ଘରୋଇ ସ୍କୁଲ୍
ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବା ପରେ ଅନେକ ନିୟମରେ ପରିବର୍ତ୍ତନ କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ପୂର୍ବରୁ ୬ ମାସ ଭିତରେ ୨୫ ହଜାର ନିଯୁକ୍ତି ଦେବା ନେଇ ଘୋଷଣା କରି ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଉ ଆଜି ଶିକ୍ଷା କ୍ଷେତ୍ରରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ।
ଏକ ଭିଡିଓ ରିଲିଜ୍ କରି ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି ଯେ ଘରୋଇ ବିଦ୍ୟାଳୟଗୁଡ଼ିକ ଏବେ ସ୍କୁଲ ଫି’ ବୃଦ୍ଧି କରିପାରିବେ ନାହିଁ। ଚଳିତ ବର୍ଷ ହେବାକୁ ଥିବା ଆଡମିଶନରେ ଫି’ ବୃଦ୍ଧି କରିବାକୁ ବିଦ୍ୟାଳୟଗୁଡ଼ିକୁ ଅନୁମତି ଦିଆଯିବ ନାହିଁ। ଏହା ବ୍ୟତୀତ ସେ କହିଛନ୍ତି ଯେ କୌଣସି ବିଦ୍ୟାଳୟ ବହି ଏବଂ ପୋଷାକ କିଣିବାକୁ କୌଣସି ନିର୍ଦ୍ଦିଷ୍ଟ ଦୋକାନକୁ ଯିବାକୁ ପିତାମାତାଙ୍କୁ କହିପାରିବେ ନାହିଁ। ଅଭିଭାବକ ନିଜ ଈଚ୍ଛା ଅନୁସାରେ ତାଙ୍କୁ ସୁହାଇଲା ଭଳି ସ୍ଥାନରେ ପିଲାମାନଙ୍କ ପାଇଁ ୟୁନିଫର୍ମ ଓ ବହି କିଣିପାରିବେ।
ଏହା ପୂର୍ବରୁ ସୋମବାର ମଧ୍ୟ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ପରି ରାଜ୍ୟରେ ମଧ୍ୟ ପ୍ରତି ଘରେ ରାସନ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଘରକୁ ଘର ରାସନ ପହଞ୍ଚାଇବା ପାଇଁ ‘ଡୋର ଷ୍ଟେପ୍ ଡେଲିଭରି’ ଆରମ୍ଭ କରିବାକୁ ଘୋଷଣା କରିଥିଲେ, ଯେଉଁଥିରେ ଅଧିକାରୀମାନେ ଲୋକମାନଙ୍କୁ ଫୋନ କରି ସମୟ ମାଗିବେ ଏବଂ ତା’ପରେ ସେମାନେ ସେମାନଙ୍କ ଘରେ ରାସନ ପହଞ୍ଚାଇବେ। ଏହା ସହିତ ଆମ୍ ଆଦମୀ ପାର୍ଟି ସରକାର ପଞ୍ଜାବରେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବାକୁ ଘୋଷଣା କରିଛନ୍ତି।
Powered by Froala Editor