ଏବେଠୁ ମୁଣ୍ଡ ଝାଇଁଝାଇଁ କରୁଛି ଖରା

ଭୁବନେଶ୍ବର: ଶେଷ ହେଲା ଶୀତ ଋତୁ । ରାଜ୍ୟରେ ଖରାଦିନ ଆରମ୍ଭ ନହେଉଣୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଲାଣି । ଖରା ତାତିରେ ମୁଣ୍ଡ ଝାଇଁଝାଇଁ ହେଲାଣି । ଏଣିକି ତାପମାତ୍ରା ବଢିବ ବଢିବାରେ ଲାଗିବ । ଆଗାମୀ ୧୨ ଏବଂ ୧୪ ତାରିଖ ଭିତରେ ଗରମ ବୃଦ୍ଧି ପାଇବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।
ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ରାଜ୍ୟର ସବୁଠୁ ଉତ୍ତପ୍ତ ଅଞ୍ଚଳ ପାଲଟିବ । ତାପମାତ୍ରା ପ୍ରାୟ ୩ ଡିଗ୍ରୀରୁ ଅଧିକ ବଢ଼ିପାରେ । ଅନୁଗୁଳ ସମେତ କେନ୍ଦ୍ରୀୟ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ତାପମାତ୍ରା ପ୍ରାୟ ୪ ଡିଗ୍ରୀରୁ ଅଧିକ ବଢ଼ିବ । ୧୨ ତାରିଖରେ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୩୯ ଡିଗ୍ରୀରୁ ଅଧିକ ରହିବାର ସମ୍ଭାବନା ରହିଛି । ସେହିପରି ଅନୁଗୁଳ, ତାଳଚେର, ବଲାଙ୍ଗୀର, ଭବାନୀପାଟଣା, ଟିଟିଲାଗଡ଼ରେ ୩୯ ଡିଗ୍ରୀରୁ ଅଧିକ ତାପମାତ୍ରା ରହିବ । ଝାରସୁଗୁଡ଼ାରେ ୩୭.୫ ଡିଗ୍ରୀ ଓ ଚାନ୍ଦବାଲିରେ ୩୭ ଡିଗ୍ରୀ ତାପମାତ୍ରା ରହିପାରେ । କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ମଧ୍ୟ ଛୁଇଁପାରେ ।
ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ମୁତାବକ ଆଗାମୀ ୫ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି । ଓଡ଼ିଶା ଉପରେ ବର୍ତ୍ତମାନ ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନାହିଁ । ଦିନ ତାପମାତ୍ରା ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।
Powered by Froala Editor