ବୀର ବିକ୍ରମ ଯାଦବଙ୍କୁ ପୂର୍ତ୍ତ ସଚିବ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପୂର୍ତ୍ତ ସଚିବ ତଥା ୨୦୦୨ ବ୍ୟାଚ ଆଇଏଏସ୍ କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ତାଙ୍କ ସ୍ଥାନରେ ୧୯୯୬ ବ୍ୟାଚ୍ ଆଇଏଏସ୍ ବୀର ବିକ୍ରମ ଯାଦବଙ୍କୁ ପୂର୍ତ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ସେ ଏବେ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି ବ୍ୟାପାର ସଚିବ ସମେତ ଅନ୍ୟ ୪ଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଛନ୍ତି।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୨ ବ୍ୟାଚ୍ ଆଇଏଏସ୍ କ୍ରିଷନ କୁମାରଙ୍କୁ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଥିବାରୁ ରାଜ୍ୟ ସରକାର ଆସନ୍ତା ୭ତାରିଖ ଅପରାହ୍ନରେ ତାଙ୍କୁ ରିଲିଭ କରିବେ । କ୍ରିଷନ କୁମାର ଏବେ ରାଜ୍ୟ ପୂର୍ତ୍ତ ସଚିବ ସମେତ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ, ପୁରୀ-କୋଣାର୍କ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ତାଙ୍କର କେନ୍ଦ୍ରୀୟ ନିଯୁକ୍ତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୯୯୬ ବ୍ୟାଚ୍ ଆଇଏଏସ୍ ବୀର ବିକ୍ରମ ଯାଦବଙ୍କୁ ପୂର୍ତ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।
ଶ୍ରୀ ଯାଦବ ଏବେ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଅଛନ୍ତି । ଏହାସହିତ ସେ ସମବାୟ ବିଭାଗର ପ୍ରମୁଖ ସଚିବ, ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ସଦସ୍ୟ ସଚିବ, ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ସମେତ ଟ୍ରେଡ୍ ପ୍ରମୋସନ ଆଣ୍ଡ ଇନଭେଷ୍ଟମେଣ୍ଟ କମିଶନର ଭାବେ କାର୍ୟ୍ୟ କରୁଛନ୍ତି । ସେ ଏବେ ଏକକାଳୀନ ୫ଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବାବେଳେ ପୂର୍ତ୍ତ ବିଭାଗ ଭଳି ଦାୟିତ୍ୱ ତାଙ୍କୁ ମିଳିଛି ।
Powered by Froala Editor