କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ

ଭୁବନେଶ୍ୱର: ପଂଚାୟତ ନିର୍ବାଚନ ପରେ ଜୋର ଧରିଛି ପୌର ନିର୍ବାଚନ । ଅନ୍ୟସମସ୍ତ ଦଳକୁ ପଛରେ ପକାଇ ଭାରତୀୟ ଜାତୀୟ କଂଗ୍ରେସ ଦଳର ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର ପ୍ରାର୍ଥୀନୀ ନାମ ସାମ୍ନାକୁ ଆସିଛି । ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ମେୟର ପ୍ରାର୍ଥୀ ହୋଇଛନ୍ତି ।
ମଧୁସ୍ମିତା ଆଚାର୍ଯ୍ୟ ଜଣେ ଉଚ୍ଚଶିକ୍ଷିତା ସମାଜସେବୀ ଭାବେ ବିଭିନ୍ନ ମହଲରେ ପରିଚିତ । ଛାତ୍ର ଜୀବନରୁ ସେ ରାଜନୀତି ସହ ଜଡିତ । କମଳା ନେହେରୁ ଓମେନ୍ସ କଲେଜରେ ପ୍ରଥମେ ସମ୍ପାଦକ ଓ ପରେ ସଭାପତି ଭାବେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ତା ପରଠୁ ସେ ବିଭିନ୍ନ ଏନଜିଓ, କ୍ରୀଡା ସଂଗଠନ, ସାମାଜିକ ସଂସ୍ଥାରେ ଜଡିତ ରହି ଲୋକଙ୍କ ସେବା କରୁଛନ୍ତି ।
ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ କାଙ୍ଗାଳି ପଣ୍ଡାଙ୍କ ପୂତ୍ରବଧୂ ହୋଇଥିବାରୁ ସାଧାରଣ ନିର୍ବାଚନରେ ତାଙ୍କର ପ୍ରତ୍ୟକ୍ଷ ଅଭିଜ୍ଞତା ରହିଛି ।
ସୂଚନା ଅନୁସାରେ ଆସନ୍ତା ମାର୍ଚ୍ଚ ୨୪ରେ ରାଜ୍ୟର ସମସ୍ତ ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିଥିବା ବେଳେ ବ୍ରହ୍ମପୁର ଏବଂ ଭୁବନେଶ୍ବର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଯାହାକୁ ନେଇ ମହିଳା ଆଶାୟୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଭୁବନେଶ୍ୱରର ୬୭ଟି ଓ୍ୱାର୍ଡ ଏବଂ ମେୟର ପଦବୀ ପାଇଁ ନିର୍ବାଚନ ଥିବାବେଳେ ଦୁଇଦିନରେ ୩୭୧ ଆଶାୟୀ କର୍ପୋରେଟର ପଦବୀ ପାଇଁ ଏବଂ ୮ ଜଣ ମେୟର ପଦବୀ ପାଇଁ ଫର୍ମ ନେଇଥିବା ଜଣାପଡ଼ିଛି । ତେବେ ଆଜି କଂଗ୍ରେସ ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପି ଓ ବିଜେଡି ସେମାନଙ୍କ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ସହ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିବାର ସମ୍ଭାବନା ମଧ୍ୟ ରହିଛି ।
Powered by Froala Editor