ପୌର ନିର୍ବାଚନ ତାତି, ଏଥର ଶଙ୍ଖ ଧରିବେ ମୁନା!

ଅନୁଗୁଳ: ପୂର୍ବତନ ନଗରପାଳ ତଥା ବରିଷ୍ଠ କଂଗ୍ରେସ ନେତା ଅକ୍ଷୟ ସାମନ୍ତ(ମୁନା) ବିଜେଡିରେ ମିଶିବେ । ଯଦିଓ ଏନେଇ ବିଧିବଦ୍ଧ ଘୋଷଣା ହୋଇନି, ତଥାପି ଆସନ୍ତା ସୋମବାର ସେ ବିଜୁ ଜନତା ଦଳରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱରରେ ହେବାକୁ ଥିବା ମିଶ୍ରଣ ପର୍ବରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେବେ । ଏନେଇ ଆଜି ଅନୁଗୁଳରେ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ନିଜେ ଅକ୍ଷୟ ଏହାକୁ ଅସ୍ୱୀକାର କରିନାହାଁନ୍ତି । ବିଜେଡି ପକ୍ଷରୁ ମଧ୍ୟ ଏଥିନେଇ ଇଙ୍ଗିତ ମିଳିଛି । ଫଳରେ ଆଗାମୀ ପୌର ନିର୍ବାଚନରେ ସେ ବିଜେଡିର ନଗରପାଳ ପ୍ରାର୍ଥୀ ହେବାର ସମ୍ଭାବନା ବଢିଯାଇଛି ।
ଅନୁଗୁଳ ପୌରପରିଷଦରେ ନଗରପାଳ ଭାବେ ଅକ୍ଷୟ ସାମନ୍ତ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ନିର୍ବାଚିତ ହୋଇଥିଲେ । କଂଗ୍ରେସ ଦଳ ପକ୍ଷରୁ ସେ ନଗରପାଳ ଭାବେ ନିର୍ବାଚିତ ହୋଇ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ । ଏହାସହ କଂଗ୍ରେସର ବିଭିନ୍ନ ପଦପଦବିରେ ମଧ୍ୟ ରହିଥିଲେ ମୁନା । ଏପଟେ ମୁଣ୍ଡ ଉପରେ ପୌର ନିର୍ବାଚନ ଥିବାରୁ ସେ କଂଗ୍ରେସର ନଗରପାଳ ପ୍ରାର୍ଥୀ ହେବା ନେଇ ଆଲୋଚନା ହେଉଥିଲା । କିନ୍ତୁ ଏହା ପୂର୍ବରୁ ସେ ବିଜେଡି ଶିବିରକୁ ଡେଇଁବା ନେଇ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ସେମାବାର ସେ ଭୁବନେଶ୍ୱରରେ ବିଜେଡିରେ ଯୋଗଦେବେ । ଏଥିନେଇ ଅକ୍ଷୟ ସାମନ୍ତଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତ ଯେ, ବିଜେଡିରେ ଯୋଗଦେବା ନେଇ ସେ ଚିନ୍ତା କରୁଛନ୍ତି । ଯଦିଓ ଏହା ଚୂଡାନ୍ତ ହୋଇନି, ତଥାପି ଦିନେ ଦୁଇଦିନ ଭିତରେ ସବୁକିଛି ସ୍ପଷ୍ଟ ହୋଇିଯିବ ବୋଲି ସେ କହିଛନ୍ତି । ଏପଟେ ବିଜେଡି ଶିବିରରେ ମଧ୍ୟ ଅକ୍ଷୟ ମିଶିବା ନେଇ ପରୋକ୍ଷରେ ସ୍ୱୀକାର କରିଛନ୍ତି । ହେଲେ ମିଶ୍ରଣ ଆଗରୁ କିଛି କହିବା ପାଇଁ ମନା କରି ଦେଇଛନ୍ତି ।
ଆସନ୍ତା ମାସରେ ପୌର ନର୍ବାଚନ ହେଉଥିବାବେଳେ ଅକ୍ଷୟ ବିଜେଡିର ନଗରପାଳ ପ୍ରାର୍ଥୀ ହେବା ସମ୍ଭାବନା ରହିଛି । ବିଜେଡି ଏଥିନେଇ ସ୍ପଷ୍ଟ କରିନଥିଲେ ମଧ୍ୟ ଅନୁଗୁଳ ସହରରେ ଏଥିନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏପଟେ କଂଗ୍ରେସ ପକ୍ଷରୁ ଦଳର ଜିଲ୍ଲା ଓବିସି ସେଲ୍ ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ସାହୁ ନଗରପାଳ ପ୍ରାର୍ଥୀ ହେବା ପାଇଁ ବାଟ ଫିଟିଯାଇଛି । ସେ କଂଗ୍ରେସ ଟିକେଟ ପାଇଁ ପ୍ରମୁଖ ଦାବିଦାର ଥିବାରୁ ଆଗକୁ ଦୁଇ କଂଗ୍ରେସ ନେତା ମୁହାଁମୁହିଁ ହେବା ସମ୍ଭାବନା ସୃଷ୍ଟି ହୋଇଛି ।
Powered by Froala Editor