ଆସନ୍ତାକାଲି କେନ୍ଦ୍ରାପଡାର ଦୁଇଟି ବୁଥରେ ସାନି ନିର୍ବାଚନ

କେନ୍ଦ୍ରାପଡା:ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲାର ଦୁଇଟି ବୁଥରେ ହେବ ପୁନଃ ନିର୍ବାଚନ । ଗରଦପୁର ବ୍ଲକର ଦୁଇଟି ୱାର୍ଡରେ ସରପଞ୍ଚ ପଦବୀ ପାଇଁ ସାନି ଭୋଟ ଗ୍ରହଣ ହେବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି । ଗରଦପୁର ବ୍ଲକ ଅନ୍ତର୍ଗତ ବଙ୍ଗାଳପୁର ଗ୍ରାମପଞ୍ଚାୟତର ୧୫ ନମ୍ବର ୱାର୍ଡ ଓ ଗରଦପୁର ପଞ୍ଚାୟତର ୬ ନମ୍ବର ୱାର୍ଡରେ କେବଳ ସରପଞ୍ଚ ପଦବୀ ପାଇଁ ପୁନଃ ନିର୍ବାଚନ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନାନୁଯାୟୀ, ଚତୁର୍ଥ ପର୍ୟ୍ୟାୟ ମତଦାନ ସମୟରେ ନୂଆଶାସନ ୧୫ ନମ୍ବର ବୁଥରେ ପ୍ରିଜାଇଡିଂ ଅଫିରସଙ୍କ ଦ୍ବାରା ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ନିର୍ବାଚନୀ ସଙ୍କେତର ଭୁଲ୍ ପ୍ରାକ ଭଙ୍ଗା ଯୋଗୁଁ ଏଠାରେ ମତଦାନ ବନ୍ଦ କରିଥିଲା ଜିଲ୍ଲା ପ୍ରଶାସନ । ସେହିପରି ଗରଦପୁର ପଞ୍ଚାୟତର ୬ ନମ୍ବର ବୁଥରେ ମତଦାନ ଚାଲିଥିବା ସମୟରେ ୧୦ରୁ ଅଧିକ ଅସାମାଜିକ ବ୍ୟକ୍ତି ବୁଥ ଭିତରେ ପଶି ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ ଧମକାଇ ସରପଞ୍ଚ ପଦବୀ ପାଇଁ ଉଦ୍ଦିଷ୍ଟ ବାଲାଟ ନେଇଯାଇଥିଲେ ଏବଂ ସେଥିରେ ମୋହର ମାରି ଜୋର ଜବରଦସ୍ତ ବାଲାଟବାକ୍ସରେ ପକାଇଥିଲେ। ଏହି ଘଟଣା ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଏହି ବୁଥରେ ସରପଞ୍ଚ ପଦବୀ ପାଇଁ ମତଦାନ ବନ୍ଦ ରହିଥିଲା ।ଉଭୟ ବଙ୍ଗାଳପୁର ଓ ଗରଦପୁର ପଞ୍ଚାୟତର ଦୁଇଟି ବୁଥରେ ଆସନ୍ତା ୨୫ ତାରିଖ ସକାଳ ୯ରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ କେବଳ ସରପଞ୍ଚ ପଦବୀ ପାଇଁ ମତଦାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ।
Powered by Froala Editor