ରାଜଧାନୀରେ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର: ରାଜ୍ୟରେ ଏବେ ଚାଲିଛି ପଞ୍ଚାୟତ ନିର୍ବାଚନ । ଆଉ ଚଳିତ ନିର୍ବାଚନରେ ହିଂସା ସବୁ ସୀମା ପାର କରିଛି । ନିର୍ବାଚନରେ ବୁଥ ରିଗିଂ ଠାରୁ ଆରମ୍ଭ କରି ଭୋଟ ବାକ୍ସ ଲୁଟ ଭଳି ଘଟଣା ଦେଖିବାକୁ ମିଳିଛି । ତେବେ ଏହି ହିଂସାକୁ ନେଇ ଉଭୟ ବିଜେଡି ଓ ବିଜେପି ପରସ୍ପର ବିରୋଧରେ ଦୋଷାରୋପ କରିଆସୁଛନ୍ତି । ତେବେ ଆଜି ଉଭୟ ଦଳ ରାଜଧାନୀରେ ମୁହାଁମୁହିଁ ହୋଇଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନୀ ହିଂସାକୁ ଦେଇ ଉଭୟ ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ନିଜ ନିଜ ଅଭିଯୋଗ କରିଛନ୍ତି । ପରାଜୟ ଭୟରେ ବିଜେପି ସାରା ରାଜ୍ୟରେ ହିଂସାକୁ ଆଦରି ନେଇଛି ବୋଲି ଦଳ ଅଭିଯୋଗ କରିଛି । ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ଛୁଇଁ ପାରିବ ନାହିଁ । ଶୋଚନୀୟ ପରାଜୟ ଆଡକୁ ମୁହାଁଉଥିବାରୁ ୟୁପି, ବିହାର ଭଳି ଓଡ଼ିଶାରେ ହିଂସା ରାଜନୀତି କରିବାକୁ ପଛାଉନାହିଁ । ବିଜେଡି ଏହା ବିରୋଧରେ ଦୃଢ଼ ପ୍ରତିବାଦ କରିବା ସହ ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠ ନେବାକୁ ଦାବି କରିଛି ।
ଏହି ଅବସରରେ ପ୍ରଥମେ ବିଜେଡି ପ୍ରତିନିଧି ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି । ବିଜେପି ରାଜନୈତିକ ହିଂସା ଆପଣାଉଥିବା ବିଜେଡି ଅଭିଯୋଗ କରିଛି । ଏଥିସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି ।
ଅନ୍ୟପକ୍ଷରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ନିର୍ବାଚନରେ ଅନିୟମିତତା ଓ ପକ୍ଷପାତିତା ଅଭିଯୋଗ କରି ବିଜେପି ଏହି ଧାରଣା ଦେଇଛି ।
ଅନ୍ୟପକ୍ଷରେ ଆଜି ରାଜ୍ୟରେ ବିଭିନ୍ନ ବୁଥରେ ହେଉଛି ସାନି ମତଦାନ । ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଯୋଗୁଁ ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟରେ ସ୍ଥଗିତ ୪୫ଟି ବୁଥରେ ଆଜି ହେଉଛି ସାନି ମତଦାନ । ଯାଜପୁର, ଢ଼େଙ୍କାନାଳ, ପୁରୀ, ଭଦ୍ରକ, ବୌଦ୍ଧ, ବଲାଙ୍ଗିର, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜର ୪୫ଟି ବୁଥରେ ହେଉଛି ସାନି ମତଦାନ । ସକାଳ ୯ରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ହେବ ମତଦାନ । ବିଭିନ୍ନ କାରଣରୁ ବିଶୃଙ୍ଖଳା ହୋଇଥିବାରୁ ପ୍ରଥମ ପର୍ୟ୍ୟାୟରେ ୨୫ଟି ବୁଥରେ ମତାଦାନ ବାଧାପ୍ରାପ୍ତ ହୋଇଥିଲା ।
ସେହିପରି ଦ୍ୱିତୀୟ ପର୍ୟ୍ୟାୟରେ ୨୦ ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ବିଭିନ୍ନ ବୁଥରେ ଅଶାନ୍ତି ଓ ଗଣ୍ଡଗୋଳ ପାଇଁ ନିର୍ବାଚନ ସ୍ଥଗିତ ରହିଥିଲା । ତେବେ ଆଜି ହେଉଥିବା ରି ପୋଲିଂ ପରେ ବାଲାଟ ବାକ୍ସକୁ ରଖିବାକୁ ମୁଖ୍ୟ ଷ୍ଟ୍ରଙ୍ଗରୁମ୍ ଖୋଲାଯିବ ନାହିଁ । ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍ କରି ଏସବୁକୁ ସୁରକ୍ଷିତ ରଖାଯିବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ତୃତୀୟ ପର୍ୟ୍ୟାୟ ନିର୍ବାଚନରେ ସ୍ଥଗିତ ୩୦ଟି ବୁଥରେ ୨୫ ତାରିଖରେ ସାନି ମତଦାନ ହେବ । ସେପଟେ ରାଜ୍ୟରେ ସରିଛି ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ । ଚତୁର୍ଥ ପର୍ୟ୍ୟାୟ ନିର୍ବାଚନରେ ୭୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ତେବେ ଆସନ୍ତାକାଲି ରାଜ୍ୟରେ ଅନୁଷ୍ଠିତ ହେବ ଅନ୍ତିମ ପର୍ୟ୍ୟାୟ ନିର୍ବାଚନ ।
Powered by Froala Editor