ଷ୍ଟାଫ ନର୍ସ ଭାବେ ନିଯୁକ୍ତି କରାଇଦେବୁ କହି ଚାରି ଲକ୍ଷ ଲୁଟ

ବୌଦ୍ଧ: ଚାକିରି କରାଇ ଦେବା ନାଁରେ ଚାରି ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ବୌଦ୍ଧ ଜିଲା ବାଉଁଶୁଣୀ ଥାନା ମଙ୍ଗଳାମୁଣ୍ଡା ଗ୍ରାମରୁ ଏପରି ଏକ ଅଭିଯୋଗ ଆସିଛି । ସେହି ଗାଁର ବିଦ୍ୟାଧର ମେହେରଙ୍କ ଠାରୁ ଚାକିରି କରାଇ ଦେବା ନାଁରେ ୪ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ବାଉଁଶୁଣୀ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ବିଧୁ ପ୍ରକାଶ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ୨୦୨୧ ମାର୍ଚ୍ଚ ମାସରେ ଫୋନ କରିଥିଲେ । ଫୋନ୍ କରି ବିଦ୍ୟାଧରଙ୍କୁ କହିଥିଲେ ତୁମ ଭଉଣୀଙ୍କୁ ଷ୍ଟାଫ ନର୍ସ ଭାବେ ନିଯୁକ୍ତି କରାଇଦେବୁ । ଏଥିପାଇଁ ୬ ଲକ୍ଷ ଟଙ୍କା ଶୀଘ୍ର ପଠାନ୍ତୁ ।
ବିଧୁ ପ୍ରକାଶଙ୍କ କଥାରେ ବିଶ୍ୱାସ ରଖି ବିଦ୍ୟାଧର ପ୍ରଥମେ ଫୋନପେ ମାଧ୍ୟମରେ ୪ ଲକ୍ଷ ଟଙ୍କା ପଠାଇଥିଲା । କିନ୍ତୁ ଚାକରି ଆଜି ହୋଇଯିବ, କାଲି ହୋଇଯିବ ବୋଲି କହି ତାଙ୍କୁ ଠକି ଆସୁଥିଲେ । ବିଦ୍ୟାଧର ଏହା ଠକାମୀର ଶୀକାର ହୋଇଥିବା ଜାଣିବାପରେ ବାଉଁଶୁଣୀ ଥାନାର ଦ୍ୱାରସ୍ଥ ହୋଇଥିଲା । ଅଭିଯୋଗ ପାଇବା ପରେ ବାଉଁଶୁଣୀ ପୋଲିସ ପକ୍ଷରୁ ଏକ ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
Powered by Froala Editor