ଚେତାବନୀ: ନକଲି ଭୋଟର ସାଜି ଭୋଟ୍ ଦେଲେ ପୋଲିସ ଜିମା ଦିଆଯିବ
ବୁଧବାର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ । ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ନକଲି ମତଦାତାଙ୍କୁ ଏଭଳି ସତର୍କବାଣୀ ଶୁଣାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ନକଲି ଭୋଟର ସାଜି ଭୋଟ୍ ଦେଲେ ପୋଲିସର ଜିମା ଦିଆଯିବ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର କୁମାର ସାହୁ ଏହି ସୂଚନା ଦେଇଛନ୍ତି । ଏହାସହ ପଞ୍ଚାୟତ ନିର୍ବାଚନରେ ଟେଣ୍ଡର ଭୋଟ୍ ଓ ଚ୍ୟାଲେଞ୍ଜ ଭୋଟକୁ ନେଇ ସୋସିଆଲ୍ ମିଡିଆରେ ହେଉଥିବା ଗୁଜବ ଉପରେ ସେ ସ୍ପଷ୍ଟୀକରଣ ଦେଇଛନ୍ତି ।
ନିର୍ବାଚନକୁ ସ୍ୱଚ୍ଛ ଏବଂ ନିରେପେକ୍ଷ କରିବା ପାଇଁ ଅନେକ ପଦକ୍ଷେପ ବି ନିଆଯାଇଛି । ତେବେ ନକଲି ଭୋଟର ସକ୍ରିୟ ରହୁଥିବା ଅନେକ ସମୟରେ ଅଭିଯୋଗ ହେଉଥିଲା । ନକଲି ମତଦାତାଙ୍କୁ ସତର୍କବାଣୀ ଶୁଣାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ନକଲି ଭୋଟରଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ୧- ଚ୍ୟାଲେଞ୍ଜ ଭୋଟ୍ ୨-ଟେଣ୍ଡର ଭୋଟ୍ ।
ଚ୍ୟାଲେଞ୍ଜ ଭୋଟ୍ କ’ଣ ?
ଯଦି ପ୍ରାର୍ଥୀଙ୍କ ଏଜେଣ୍ଟ କୌଣସି ଭୋଟରଙ୍କ ପରିଚୟ ଉପରେ ଆପତ୍ତି କରନ୍ତି । ତେବେ ଏଜେଣ୍ଟ ୨ ଟଙ୍କା ଦେଇ ତାଙ୍କର ପରିଚୟକୁ ଚ୍ୟାଲେଞ୍ଜ କରି ପାରିବେ । ପ୍ରିଜାଇଡିଂ ଅଫିସରମାନେ ସ୍ପଟ୍ ଉପରେ ଯାଞ୍ଚ କରିବେ । ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ସେହି ଲୋକଙ୍କୁ ପୋଲିସର ଜିମା ଦିଆଯିବ । ଅଭିଯୋଗ ମିଛ ହୋଇଥିଲେ ସେ ଭୋଟ୍ ଦେଇପାରିବେ ।
ଟେଣ୍ଡର ଭୋଟ୍ କ’ଣ ?
ସେହିପରି ଯଦି ଜଣଙ୍କ ସ୍ଥାନରେ ଅନ୍ୟ ଜଣେ ଭୋଟ୍ ଦେଇଥିବେ, ସେ କ୍ଷେତ୍ରରେ ସେହି ଭୋଟରଙ୍କୁ ଟେଣ୍ଡର ଭୋଟ୍ ପାଇଁ ଅନୁମତି ଦିଆଯିବ । ସେହି ବାଲଟ୍ ପେପରକୁ ଅଲଗା ରଖାଯିବ । ଭୋଟରଙ୍କ ପରିଚୟପତ୍ର ଓ ଅଲଗା ଦସ୍ତାବିଜକୁ ନେଇ ପ୍ରିଜାଇଡିଂ ଅଫିସର ସନ୍ତୁଷ୍ଟ ହେଲେ ସେ ଭୋଟ୍ ଦେଇ ପାରିବେ । ଗଣତି ସମୟରେ ତାଙ୍କ ଭୋଟକୁ କାଉଣ୍ଟ କରାଯିବ ।
ସେପଟେ ନିର୍ବାଚନ କମିଶନ ଭୋଟ ଗଣତି ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଏହା ଅନୁଯାୟୀ ପ୍ରଥମ ଥର ପାଇଁ ବ୍ଲକରେ ସବୁ ବକ୍ସକୁ ଏକାଠି କରି ଗଣତି କରାଯିବ। ଜିଲ୍ଲାପରିଷଦ ଜୋନ ଅନୁଯାୟୀ ୮ଟି ପଞ୍ଚାୟତର ଗଣତି ଗୋଟିଏ ହଲରେ କରାଯିବ । ୩ ଦିନ ଭିତରେ ଗଣତି ସରିବ। ଗଣତି କେନ୍ଦ୍ରରେ ଅଲଗା ଅଲଗା ପ୍ରବେଶ ପ୍ରସ୍ଥାନ ଦ୍ବାର ରହିବ। ଗୋଟିଏ ଟେବୁଲ ପାଇଁ ଜଣେ କାଉଣ୍ଟିଙ୍ଗ ସୁପରଭାଇଜର, ୨ ଜଣ କାଉଣ୍ଟିଙ୍ଗ ଆସିଷ୍ଟାଣ୍ଟ ଓ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ରହିବେ। ୱାର୍ଡ ମେମ୍ବର, ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀମାନେ ଜଣେ ଲେଖାଏଁ କାଉଣ୍ଟିଙ୍ଗ ଏଜେଣ୍ଟ ଦେଇପାରିବେ। ଜିଲ୍ଲାପରିଷଦ ଜୋନରେ ଥିବା ଗ୍ରାମ ପଞ୍ଚାୟତ ସଂଖ୍ୟାନୁସାରେ କାଉଣ୍ଟିଙ୍ଗ ଏଜେଣ୍ଟ ନିଯୁକ୍ତ ହେବେ।
Powered by Froala Editor