ସରଗରମ ଉତ୍ତରପ୍ରଦେଶ ରାଜନୀତି: ବିଜେପିରେ ମିଶିପାରନ୍ତି ଅଖିଲେଶଙ୍କ ଭାଇବୋହୂ ଅପର୍ଣ୍ଣା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖଉଛି ସେତିକି ସରଗରମ ହେଉଛି ରାଜନୀତି । ଘଡ଼ିକେ ଘୋଡ଼ା ଛୁଟୁଛି । ଘଣ୍ଟା ଘଣ୍ଟାକେ ବଦଳୁଛି ରାଜନୀତି ସମୀକରଣ । ଏସବୁ ଭିତରେ ଏବେ ଆରମ୍ଭ ହୋଇଛି ଦଳ ଡିଆଁ ରାଜନୀତି । ବିଜେପି ଓ ସମାଜବାଦୀ ପାର୍ଟି ଭିତରେ ଚାଲିଛି ଟଣାଓଟରା ।
ଇତିମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତାହା ହେଲା ମୁଲାୟମ ସିଂହଙ୍କ ସାନବୋହୂ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ଭାଇବୋହୂ ଅପର୍ଣ୍ଣା ଖୁବ୍ଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି । ଯଦି ଅପର୍ଣ୍ଣା ପଦ୍ମରେ ମିଶିବେ ତେବେ ନିଶ୍ଚିତ ଭାବେ ଅଖିଲେଶଙ୍କୁ ଏକ ବଡ଼ ଝଟ୍କା ଲାଗିବ ବୋଲି ରାଜନୀତି ସମୀକ୍ଷକମାନେ ମତ ଦେଲେଣି ।
ଅପର୍ଣ୍ଣା ମୁଲାୟମଙ୍କ ଦ୍ୱିତୀୟ ସ୍ତ୍ରୀ ସାଧାନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ସ୍ତ୍ରୀ । ସେ ୨୦୧୭ ବିଧାନସଭା ନିର୍ବାଚନ ଲଢ଼ିଥିଲେ । କେଣଟ ଆସନରୁ ସାଇକଲ ଚିହ୍ନଟରେ ଲଢ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେତେବେଳେ ତାଙ୍କୁ ୬୩ ହଜାର ଭୋଟ ମିଳିଥିଲା । ସେ ବିଜେପି ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କୁ ଦେଇଥିଲେ କଡା ଟକ୍କର।
ଅପର୍ଣ୍ଣା ସଦାବେଳେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ଆସୁଛନ୍ତି । ସେ ରାମ ମନ୍ଦିର ପାଇଁ ୧୧ ଲକ୍ଷ ୧୧ ଟଙ୍କା ଦାନ କରିଥିଲେ । ଏହାପରଠୁ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ସେତେବେଳେ ରାଜନୀତି ମହଲରେ ଆଲୋଚନା ହୋଇଥିଲା ଅପର୍ଣ୍ଣା ପଦ୍ମ ଆଡ଼କୁ ଢଳୁଛନ୍ତି । ଆଉ ଏବେ ଏହା ସତ୍ୟ ପ୍ରମାଣିତ ହେବାକୁ ଯାଉଛି । ଯାହା ଶୁଣାଯାଉଛି ରବିବାର ସମାଜବାଦୀ ପାର୍ଟିର ବହୁ ନେତା ଓ କର୍ମୀ ବିଜେପିରେ ଯୋଗଦାନ କରିପାରନ୍ତି । ଆଉ ଏହି ତାଲିକାରେ ଅପର୍ଣ୍ଣାଙ୍କ ନାମ ମଧ୍ୟ ସାମିଲ ରହିଛି ।
Powered by Froala Editor