ପଛକୁ ଉଡିପାରେ ଏହି ଚଢେଇ
ଚଢେଇମାନେ ସାଧାରଣତଃ ଡେଣା ଝାଡି ଆକାଶରେ ମୁକ୍ତ ଭାବରେ ଉଡିପାରିଥାନ୍ତି । ନିଉଟନଙ୍କ ତୃତୀୟ ନିୟମ ଅନୁଯାୟୀ, ସେମାନେ ଡେଣା ଦ୍ୱାରା ଯେତିକି ବଳ ବାୟୁମଣ୍ଡଳରେ ପକାଇଥାନ୍ତି । ସେତିକି ବିପରୀତ ପ୍ରତିକ୍ରିୟା ବାୟୁମଣ୍ଡଳ ସେମାନଙ୍କ ଡେଣା ଉପରେ ପକାଇଥାଏ । ଫଳରେ ପାଣିରେ ଆହୁଲା ମାରି ଡଙ୍ଗା ଆଗକୁ ଗତି କଲା ପରି ପକ୍ଷୀମାନେ ପବନରେ ଏମିତି ଡେଣା ସାହାଯ୍ୟରେ ଆଗକୁ ଉଡି ଚାଲିଥା’ନ୍ତି । ଏଥି ସହିତ ସେମାନେ ନିଜର ଲାଞ୍ଜକୁ ଏପଟ ସେପଟ କରି ଉପର ତଳ ବା ଏପଟ ସେପଟ ହୋଇ ଉଡିପାରିଥାନ୍ତି । ତେବେ ସେମାନଙ୍କର ଡେଣାର ଗଢଣ ଏପରି ଯେ ସେମାନେ କେବଳ ପଛ ଆଡକୁ ଡେଣାଦ୍ୱୟକୁ ଝାଡିଥାନ୍ତି ତାହା ନୁହେଁ, ଏହାର ବିପରୀତ ଦିଗରେ ଅର୍ଥାତ ଆଗକୁ ହିଁ ଉଡିପାରିଥାନ୍ତି । ମାତ୍ର ହମିଂବାର୍ଡ ଚଢେଇ ପଛକୁ ମଧ୍ୟ ଉଡିବାରେ ସକ୍ଷମ ।
ଏହା ଏକମାତ୍ର ଚଢେଇ ଯିଏ ଡେଣା ଝାଡି ପଛୁଆ ପଛୁଆ ଉଡିପାରିବା ସହ ମାଛରଙ୍କା ପକ୍ଷୀ ପରି ହଠାତ୍ ଉପରକୁ ଉଠିପାରେ ଓ ତଳକୁ ମଧ୍ୟ ଖସିପାରେ । ଅବଶ୍ୟ ବେଶି ବାଟ ନହେଲେ ବି କୌଣସି ଆଶୁ ବିପଦର ମୁକାବିଲା ପାଇଁ ହମିଂବାର୍ଡ ଡେଣା ଝାଡି ପଛକୁ କିଛି ବାଟ ଉଡିଯାଇ ନିଜକୁ ସୁରକ୍ଷିତ ରଖିପାରିଥାଏ ।
ତାହାର ଏପରି ସାମର୍ଥ୍ୟ ପଛର କାରଣ ହେଲା, ଆମ ହାତର ମଣିବନ୍ଧ ଖଞ୍ଜା ପରି ହମିଂବାର୍ଡର ପିଠିରୁ ଡେଣା ବାହାରିଥିବା ସ୍ଥାନଟି ଶକ୍ତ ଘୁମନ୍ତ ଖଞ୍ଜା ପରି କାମ କରିଥାଏ । ସୁତରାଂ ସିଏ ତାହାର ଡେଣାକୁ ବିଭିନ୍ନ ଦିଗକୁ ବୁଲାଇ ଝାଡିପାରେ । ତେଣୁ ଏହା ଡେଣାକୁ ଘୂରାଇ ଆଗଆଡକୁ ବାୟୁ ଉପରେ ଚାପ ପକାଇବା ଦ୍ୱାରା ଏହା ଆଗକୁ ଗତି କରିଥାଏ ।
Powered by Froala Editor