ଦେଶ ସେବା ପାଇଁ ମୋର ରାଜନୀତି ଲୋଡ଼ା ନାହିଁ : ଶ୍ରୀଧରନ
ବିଜେପିରେ ଥିବା ମେଟ୍ରୋମ୍ୟାନ ଇ ଶ୍ରୀଧରନ ଆଜି ରାଜନୀତିରୁ ବିଦାୟ ନେଇଛନ୍ତି। ବିଜେପିରେ ମିଶି ସେ କେରଳ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ହେଲେ ତାଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା।
କେରଳର ମାଲାପ୍ପୁରମ୍ରେ ଏ କଥା ଘୋଷଣା କରି ସେ କହିଛନ୍ତି ଯେ, ଏପ୍ରିଲ୍ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚରେ ପରାସ୍ତ ହୋଇ ସେ ଅପ୍ରୀତିକର ପରିସ୍ଥିତିରେ ପଡ଼ିଥିଲେ। ସେ ଆହୁରି କହିଛନ୍ତି, ମୁଁ କେବେ ହେଲେ ରାଜନୀତିଜ୍ଞ ନଥିଲି। ସକ୍ରିୟ ରାଜନୀତିରେ ନ ରହିବା ଅର୍ଥ ନୁହେଁ ଯେ, ମୁଁ ରାଜନୀତି ଛାଡ଼ି ଦେଲି। ଏବେ ମତେ ୯୦ ବର୍ଷ। ରାଜନୀତିର ଅତି ଗହନକୁ ପ୍ରବେଶ କରିବା ବିପଜ୍ଜନକ। ସମ୍ପ୍ରତି ରାଜନୀତିରେ ମୋର କୌଣସି ଆଶା ଆକାଙ୍କ୍ଷା ନାହିଁ। ଦେଶ ସେବା କରିବା ପାଇଁ ମୋର ରାଜନୀତି ଲୋଡ଼ା ନାହିଁ। ୩ଟି ଟ୍ରଷ୍ଟ୍ ଜରିଆରେ ମୁଁ ଦେଶ ସେବା କରୁଛି।
ଶ୍ରୀଧରନ ଫେବୃଆରୀ ୨୫ରେ ବିଧିବଦ୍ଧ ଭାବେ ବିଜେପିରେ ମିଶିଥିଲେ। ୮୮ ବର୍ଷୀୟ ଶ୍ରୀଧରନ କେରଳରେ ବିଜେପି ଗଠନ କରିଥିବା ୧୬ ଜଣିଆ ନିର୍ବାଚନ କମିଟିର ସଦସ୍ୟ ମଧ୍ୟ ରହିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା, ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଟିକେଟ୍ ଦେବ ନାହିଁ ବୋଲି କହିଥିଲା। ଏଥିପାଇଁ ଦୁଇ ବରିଷ୍ଠ ନେତା ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀ ନିର୍ବାଚନ ଲଢ଼ି ନଥିଲେ। ହେଲେ କେରଳ ବିଧାନସଭା ନିର୍ବାଚନରେ ଦଳ ନିଜର ନିଷ୍ପତ୍ତି ବଦଳା ଶ୍ରୀଧରନଙ୍କୁ ମୈଦାନକୁ ଓହ୍ଲାଇଥିଲା। ମେଟ୍ରୋମ୍ୟାନ ଭାବେ ସେ ସାରା ଦେଶରେ ଖ୍ୟାତି ଅର୍ଜନ କରିଥିବାରୁ ବିଜେପି ତାଙ୍କ ଦ୍ୱାରା କେରଳରେ ଜିତିବ ବୋଲି ଆଶା କରିଥିଲା। ତାଙ୍କୁ ପାଲାକ୍କଡ ଆସନରୁ ଟିକେଟ ମଧ୍ୟ ଦେଇଥିଲା। ହେଲେ ଇ ଶ୍ରୀଧରନ ୩,୮୫୯ ଖଣ୍ଡ ଭୋଟରେ ହାରିଥିଲେ।
Powered by Froala Editor