ଉପହାର ହଲ ଅଗ୍ନିକାଣ୍ଡ ଘଟଣା : ଅନସାଲ ବ୍ରଦର୍ସଙ୍କୁ ୭ ବର୍ଷ ଲେଖାଏଁ ଜେଲ୍

ଉପହାର ସିନେମା ହଲ ଅଗ୍ନିକାଣ୍ଡ ଘଟଣାରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ଅଗ୍ନିକାଣ୍ଡ ପ୍ରମାଣକୁ ନଷ୍ଟ କରିବା ମାମଲାରେ କୋର୍ଟ, ସିନେମା ହଲର ମାଲିକ ସୁଶୀଲ ଅନସାଲ, ଗୋପାଳ ଅନସାଲଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଉଭୟ ଭାଇଙ୍କୁ ୨.୫ କୋଟି ଲେଖାଏ ଅର୍ଥାତ ମୋଟ ୫ କୋଟି ଜୋରିମାନା ଦାଖଲ କରିବାକୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନସାଲ ବ୍ରଦର୍ସଙ୍କ ବ୍ୟତୀତ ପୂର୍ବତନ କର୍ମଚାରୀ ଦୀପେଶ ଚାନ୍ଦ ଶର୍ମା ଓ ଅନ୍ୟ ଦୁଇ ଜଣ ପିପି ବାତ୍ରା ଏବଂ ଅନୂପ ସିଂହଙ୍କୁ ମଧ୍ୟ ୭ ବର୍ଷ ଲେଖାଏ ଜେଲ ଦଣ୍ଡ ମିଳିଛି। ଏମାନଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଜୋରିମାନା ଦାଖଲ କରିବାକୁ ମଧ୍ୟ ପଡ଼ିବ।
ସୂଚନାନୁସାରେ, ୧୯୯୭ ଜୁନ ୧୩ରେ ବଲିଉଡ ଫିଲ୍ମ ‘ବର୍ଡର’ ଉପହାର ସିନେମା ହଲ୍ରେ ମୁକ୍ତିଲାଭ କରିଥିଲା। ଫିଲ୍ମ ଚାଲିଥିବା ବେଳେ ହଠାତ୍ ହଲ୍ରେ ନିଆଁ ଲାଗି ଯାଇଥିଲା। ଏଥିରେ ୫୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଦଳାଚକଟାରେ ଆହତ ହୋଇଥିଲେ।
ହଲ୍ରେ କୌଣସି ପ୍ରକାରର ନିଆଁ ଲିଭା ପାଇଁ ବ୍ୟବସ୍ଥା କରାଯାଇ ନଥିବାରୁ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଥିଲା। ଶେଷରେ ଦୀର୍ଘ ଦିନର ଆଇନଗତ ଲଢ଼େଇ ପରେ ଅନସଲ ବ୍ରଦର୍ସ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ପୂର୍ବରୁ ଉପହାର ସିନେମା ହଲ ଅଗ୍ନିକାଣ୍ଡ ଘଟଣାରେ ଅନସାଲ ବ୍ରଦର୍ସଙ୍କୁ ସୁପ୍ରିମକୋର୍ଟ ୨ ବର୍ଷ ଜେଲ ହାଜତକୁ ପଠାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ୩୦ କୋଟି ଲେଖାଏ ଜୋରିମାନା ଦେଇ ସେମାନେ ଜେଲରୁ ବାହାରିଥିଲେ। ଏହି ଅର୍ଥରେ ରାଜଧାନୀରେ ଟ୍ରମା କେୟାର ସେଣ୍ଟର ତିଆରି କରାଯିବ ବୋଲି କୋର୍ଟ କହିଛନ୍ତି। ଉପହାର ଅଗ୍ନିକାଣ୍ଡ ଘଟଣାର ଅନ୍ୟ ଦୁଇ ଅଭିଯୁକ୍ତ ହର ସ୍ୱରୂପ ପନୱର ଓ ଧର୍ମବୀର ମାଲହୋତ୍ରା ଶୁଣାଣି ସମୟରେ ହିଁ ପ୍ରାଣ ହରାଇ ସାରିଛନ୍ତି।
Powered by Froala Editor