ହାତ ଛାଡି ଶଙ୍ଖ ଧରିଲେ ପ୍ରଦୀପ
କଂଗ୍ରେସ ଛାଡ଼ିଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ପ୍ରଦୀପଙ୍କ ସହିତ ତାଙ୍କର ସମର୍ଥକମାନେ ମଧ୍ୟ ଶୋଭାଯାତ୍ରାରେ ଆସି ମିଶ୍ରଣ ପର୍ବରେ ସାମିଲ୍ ହୋଇଥିବା ଜଣାପଡ଼ିଛି। ନବରଙ୍ଗପୁର ସହରର ସର୍କିଟ୍ ହାଉସ ସାମ୍ନାରେ ଥିବା ପଡ଼ିଆରେ ପ୍ରସ୍ତୁତ ହୋଇଥିବା ମଞ୍ଚରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ନବରଙ୍ଗପୁର ସାଂସଦ ରମେଶ ମାଝୀ, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ନବରଙ୍ଗପୁରର ବିଜେଡି ବିଧାୟକ ପ୍ରମୁଖଙ୍କ ଉପସ୍ଥିତିରେ ପ୍ରଦୀପ ମାଝୀ ବିଜେଡିରେ ଯୋଗଦେଇ ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ପାଇଁ ମତ ଦେଇଛନ୍ତି ।
ପରେ ଗଣମାଧ୍ୟମ ସହ ଆଲୋଚନା କରି ପ୍ରଦୀପ କହିଛନ୍ତି, ଲୋକଙ୍କ ସେବା ପାଇଁ ସେ ବିଜେଡି ସହ ଆସିଛନ୍ତି । ଆମର ଲକ୍ଷ୍ୟ ଆଗାମୀ ଦିନରେ ଦକ୍ଷିଣ ଓଡିଶାର ପୁରା ବିକାଶ ସହ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡାର କିଭଳି ଦ୍ରୁତ ବିକାଶ ହୋଇପାରିବ ସେନେଇ ସରକାରୀ ଦଳ ସହ ମିଶି ବାକୁ ନିଷ୍ପତ୍ତି ନେଲୁ । ଆମେ ମଧ୍ୟ ଦକ୍ଷିଣ ଓଡିଶାକୁ ବିଜେଡିର ଗଡ ଭାବେ ପରିଣତ କରିବୁ ବୋଲି ପ୍ରଦୀପ କହିଛନ୍ତି ।
ଗତ ମାସ ୨୨ ତାରିଖରେ ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହାପରେ ୨୪ ତାରିଖ ଦିନ ତାଙ୍କ ସମର୍ଥକମାନେ କଂଗ୍ରେସ ଛାଡ଼ିବା ସହ ବିଜେଡିରେ ଯୋଗଦେବା ନେଇ ଘୋଷଣା କରିଥିଲେ।
Powered by Froala Editor