କଂଗ୍ରେସ ଛାଡ଼ିଲେ ଲାଞ୍ଜିଗଡ଼ ପୂର୍ବତନ ବିଧାୟକ
କଂଗ୍ରେସ ଛାଡ଼ିଲେ ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ଶିବାଜୀ ମାଝୀ । ସେ ତାଙ୍କ ଇସ୍ତଫାପତ୍ର ଇ-ମେଲ୍ ଯୋଗେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଶିବାଜୀ ମାଝୀ କହିଛନ୍ତି, ୨୦୧୯ ନିର୍ବାଚନରେ ପରାସ୍ତ ହେବା ପରଠୁ ତାଙ୍କୁ ଦଳର କୌଣସି କାର୍ଯ୍ୟକ୍ରମକୁ ଡକା ଯାଉ ନଥିଲା। ଏମିତିକି ଦଳର ପଞ୍ଚାୟତ ଓ ବ୍ଲକ୍ ସ୍ତରୀୟ ବୈଠକରେ ମଧ୍ୟ ତାଙ୍କୁ ସାମିଲ କରାଯାଉ ନଥିଲା। ତାଙ୍କୁ ଦଳ ଅଣଦେଖା କରି ଆସୁଥିଲା। ତେଣୁ ସେ ଦଳରୁ ଇସ୍ତଫା ଦେଇଛନ୍ତି।
ଶିବାଜୀ ମାଝୀ କେଉଁ ଦଳକୁ ଯିବେ, ତାହା ସ୍ପଷ୍ଟ ହୋଇନାହିଁ। ଏବେ ସେ ଏ ବିଷୟରେ ଚିନ୍ତା କରି ନାହାନ୍ତି ବୋଲି କହିଛନ୍ତି। ସମୟ ଆସିଥିଲେ ଏ ସଂପର୍କରେ କହିବେ ବୋଲି ଶ୍ରୀ ମାଝୀ କହିଛନ୍ତି। ତେବେ ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ ପୂର୍ବରୁ ଦଳ ଛାଡ଼ିଥିବା ଯୋଗୁ ସେ ବିଜେଡିରେ ଯୋଗ ଦେଇ ପାରନ୍ତି ବୋଲି କୁହାଯାଉଛି।
ଶ୍ରୀ ମାଝୀ ୨୦୦୭ରେ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୦୯ରେ ସେ କଂଗ୍ରେସ ଟିକେଟ୍ରେ ଲାଞ୍ଜିଗଡ଼ରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୪ରେ ତାଙ୍କୁ ଏହି ଆସନରୁ ଟିକେଟ୍ ଦିଆଯାଇ ନଥିଲା। ୨୦୧୯ ନିର୍ବାଚନରେ ସେ ପୁଣି ଏହି ଆସନରୁ କଂଗ୍ରେସ ଟିକେଟ୍ରେ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ହାରି ଯାଇଥିଲେ।
Powered by Froala Editor