ମାନିଲେନି ଦୀପାବଳି କଟକଣା: ବିଗିଡିଲା ଦିଲ୍ଲୀ ବାୟୁ ମଣ୍ଡଳ, ଅଣନିଶ୍ୱାସୀ ହେଲେଣି ଲୋକେ
ବାଣ ଫୁଟାଇବା ନେଇ ଜାରି ହୋଇଥିବା କଟକଣା ଉଲ୍ଲଂଘନ କରିଥିବାରୁ ଦିଲ୍ଲୀରେ ବାୟୁର ମାନ ସୂଚକାଙ୍କ ଅତି ସାଂଘାତିକ ସ୍ଥିତିକୁ ଚାଲିଯାଇଛି। ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ବାୟୁମଣ୍ଡଳର ସ୍ଥିତି ଖରାପ ଯୋଗୁ ୨୦୦ ମିଟର ଆଗକୁ କିଛି ଦେଖାଯାଉନାହିଁ । ସହରର ଅଧିକାଂଶ ଲୋକମାନେ ଗଳାରେ ଯନ୍ତ୍ରଣା ଅନୁଭବ କରିବା ସହ ନାନା ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି । ପୂର୍ବରୁ ସ୍ୱାଭାବିକ ଥିବା ଦିଲ୍ଲୀର ବାୟୁ ମଣ୍ଡଳ ଦୀପାବଳି ପରେ ହିଁ ବିଗିଡ଼ି ଯାଇଛି । ଏବେ ସବୁଆଡ଼େ ଧୂଆଁ ଧୂଆଁ ହୋଇ ପଡ଼ିଛି ।
ଚାରିଆଡ଼େ ଘନ କୁହୁଡ଼ିର ଆସ୍ତରଣ ଭିତରେ ଦିଲ୍ଲୀରେ ପିଏମ୍ ୨.୫ ସ୍ତର ଗତ ୨୪ ଘଣ୍ଟା ମଧ୍ୟରେ ଅତ୍ୟଧିକ ବଢ଼ିଯାଇଛି । ଗତ ୫ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ବିପର୍ଯ୍ୟସ୍ତ ହୋଇଛି ବାୟୁ ମଣ୍ଡଳ । ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ୪୬୨ ହୋଇଥିବା ନେଇ ସୂଚନା ଦେଇଛି ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ୨୦୧୬ରେ ୪୪୫, ୨୦୧୭ରେ ୪୦୩, ୨୦୧୮ରେ ୩୯୦, ୨୦୧୯ରେ ୩୬୮ ଏବଂ ଗତବର୍ଷ ଏହି ହାର ଥିଲା ୪୩୫ । ଗତବର୍ଷ ଦୀପାବଳିରେ ଏହି ହାର ୪୧୪ ଥିବା ବେଳେ, ଚଳିତ ବର୍ଷ ଏହି ହାର ଥିଲା ୩୮୨ । ବିଶେଷଜ୍ଞମାନେ କହିଛନ୍ତି, ଦିଲ୍ଲୀରେ ବାୟୁର ମାନ ନିମ୍ନ ତାପମାତ୍ରା, ଥଣ୍ଡା ପବନ ପାଇଁ ଅତି ଖରାପ ହୋଇଯାଉଛି। ଆଗକୁ ଏହା ଆହୁରି ଅଧିକ ଖରାପ ହେବାକୁ ଯାଉଥିବାରୁ ସରକାର ଯୁଦ୍ଧସ୍ତରରେ କେତେକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।
Powered by Froala Editor