ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ସଂଜୀବ ସାହୁ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଅନୁଗୁଳସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି। ନିଜର ଇସ୍ତଫା ପତ୍ରକୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ଶ୍ରୀ ସାହୁ ବିଜେଡି ଛାଡିବା ନେଇ କୌଣସି କାରଣ ଲେଖିନାହାଁନ୍ତି।
ସଂଜୀବ ଶିକ୍ଷକତାରୁ ଇସ୍ତଫା ଦେଇ ରାଜନୀତି ଜୀବନ ଆରମ୍ଭ କରିଥିଲେ । ଆରମ୍ଭରୁ ଜନତା ଦଳରେ ହିଁ ରହିଥିଲେ। ସେ ବୀରମହାରାଜପୁରରୁ ୨ ଥର ଓ ଆଠମଲ୍ଲିକରୁ ୨ ଥର ଜିତି ୪ ଥର ପାଇଁ ବିଧାୟକ ହୋଇଥିଲେ। ସେ ଆଠମଲ୍ଲିକରୁ ୨୦୦୯ ଏବଂ ୨୦୧୪ ମସିହାରେ ବିଧାୟକ ହୋଇଥିଲେ। ପ୍ରଥମେ ସେ ଉପ ନିର୍ବାଚନରେ ନିର୍ବାଚିତ ହୋଇ ବିଧାୟକ ହେବାପରେ,୨୦୦୯ ମସିହାରେ କଂଗ୍ରେସର ମୌସୁମୀ ପ୍ରଧାନଙ୍କୁ ପରାସ୍ତ କରିଥିଲେ।୨୦୧୪ ମସିହାରେ କଂଗ୍ରେସର ସୁରେନ୍ଦ୍ର କୁମାର ପ୍ରଧାନଙ୍କୁ ପରାସ୍ତ କରିଥିଲେ। ତଥାପି ୨୦୧୯ ମସିହାରେ ବିଜେଡ଼ି ସଞ୍ଜୀବଙ୍କ ବଦଳରେ ରମେଶ ଚନ୍ଦ୍ର ସାଏଙ୍କୁ ଟିକେଟ୍ ଦେଇଥିଲା। ଏହା ପରଠୁ ସଞ୍ଜୀବ ଅସନ୍ତୁଷ୍ଟ ଥିଲେ।
ଇସ୍ତଫା ଦେବାପରେ ସେ କେଉଁ ଦଳରେ ଯୋଗଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିନଥିଲେ ମଧ୍ୟ ବିଜେପିରେ ଯୋଗ ଦେବେ ବୋଲି ତାଙ୍କ ନିକଟତମ ମହଲରେ ଚର୍ଚ୍ଚା ହେଉଛି।
Powered by Froala Editor