ଦଳର ଖରାପ ପରିସ୍ଥିତିରେ ବହୁତ କମ ଲୋକ ଦଳରେ ରହିଥାନ୍ତି: ପଞ୍ଚାନନ

ଭୁବନେଶ୍ୱର: କଂଗ୍ରେସ ହାତ ଛାଡିଛନ୍ତି ରାଜ୍ୟର ଟାଣୁଆ ଯୁବନେତା ତଥା କଂଗ୍ରେସ କାର୍ୟ୍ୟକାରୀ ଅଧ୍ୟକ୍ଷ ପ୍ରଦୀପ ମାଝୀ । ଆଜି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ତେବେ ତାଙ୍କର ଇସ୍ତଫା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ତାଙ୍କ କହିବା ମୁତାବକ, ଦକ୍ଷିଣ ଓଡିଶାରେ କଂଗ୍ରେସ ନେତାଙ୍କ ଭଲ ଲୋକସମ୍ପର୍କ ରହିଛି । ହେଲେ ଦଳୀୟ ଭିତ୍ତିରେ କଂଗ୍ରେସ ଏହି କ୍ଷେତ୍ରରେ ବେଶ ସୁଦୃଢ । ପ୍ରଦୀପଙ୍କ ଇସ୍ତଫା ପରେ ମଧ୍ୟ ସେଠାରେ ସେଭଳି କିଛି ପ୍ରଭାବ ଦେଖିବାକୁ ମିଳିବନି ବୋଲି ପଞ୍ଚାନନ କହିଛନ୍ତି ।
ଅନ୍ୟପଟେ ଗତ କିଛି ଦିନ ହେଲା ପ୍ରଦୀପଙ୍କ ଇସ୍ତଫା ନେଇ ଚର୍ଚ୍ଚା ହେଉଥିଲା । ହେଲେ ସେ କଥାକୁ ପଞ୍ଚାନନ ବିଶ୍ୱାସ କରୁନଥିଲେ । ହେଲେ ଆଜି ପ୍ରଦୀପ ମାଝୀ ଇସ୍ତଫା ଦେଇଛନ୍ତି । ଦଳର ଖରାପ ପରିସ୍ଥିତିରେ ବହୁତ କମ ଲୋକ ଦଳରେ ରହିଥାନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ୍ କାନୁନଗୋ ।
ସେହିପରି ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦଳରୁ ଇସ୍ତଫା ଦେବା ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ତାରା ବାହିନୀପତି । ସେ କହିଛନ୍ତି ଯେ, ପ୍ରଦୀପଙ୍କ ଇସ୍ତଫା କଂଗ୍ରେସର କ୍ଷତି କରିବନି । କିଛି ସଦସ୍ୟଙ୍କୁ ଦଳ ସସପେଣ୍ଡ କରିବା ପୂର୍ବରୁ ଇସ୍ତଫା ଦେଉଛନ୍ତି । ଯଦି ପ୍ରଦୀପ ଜନସେବା କରିଥାନ୍ତେ, ତେବେ ୨ଥର ହାରିଲେ କାହିଁକି ବୋଲି ତାରା ବାହିନୀପତି କହିଛନ୍ତି ।
ପ୍ରକାଶ ଯେ, ପ୍ରଦୀପ ମାଝୀ ଶେଷରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ପିସିସି କାର୍ଯ୍ୟକାରୀ ସଭାପତି ଥିବା ଶ୍ରୀ ମାଝୀ ଦଳ ସହ ସମ୍ପର୍କ ଛିନ୍ନ କରିଛନ୍ତି । ଗତ କିଛିଦିନ ଧରି ଏଭଳି ଚର୍ଚ୍ଚା ଜୋର ଧରିଥିଲା । କଂଗ୍ରେସ ଛାଡ଼ିବା ପରେ ସେ ଖୁବଶୀଘ୍ର ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବେ । ଏମିତିକି ୨୦୨୨ରେ ତାଙ୍କୁ ବିଜେଡ଼ି ରାଜ୍ୟସଭାକୁ ପଠାଇବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ସେ ଇସ୍ତଫା ଦେଇଛନ୍ତି । ଦଳରେ ଜନସେବାର ସୁଯୋଗ ନଥିବାରୁ ସେ ଦୁଃଖ ଓ କଷ୍ଟର ସହ ଇସ୍ତଫା ଦେଉଛନ୍ତି ବୋଲି କହିଛନ୍ତି ।
Powered by Froala Editor