କାନ୍ଦୁଛି ବାପା: ଗୋଡ଼ରେ ଘା’ ଯୋଗୁଁ ବାସନ୍ଦ କଲେ ଗାଁଲୋକ, ଜଙ୍ଗଲରେ ଛାଡ଼ିଦେଲା ପୁଅ
ହଜିଗଲାଣି ମାନବିକତା । ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେଉନି । ସାମାନ୍ୟ ଘା’ ଯୋଗୁଁ ଜଣେ ବୃଦ୍ଧଙ୍କୁ ଗାଁରୁ ବାସନ୍ଦ କରିଦେଇଛନ୍ତି । ବାଧ୍ୟ ହୋଇ ପୁଅ ବାପାକୁ ଜଙ୍ଗଲରେ ଛାଡି ଦେଇଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ ବରଗଡ ଜିଲ୍ଲା ସୋହେଲା ବ୍ଲକ୍ ପେଟୁପାଲି ଗାଁରେ ଦେଖିବାକୁ ମିଳିଛି । ଯିଏ ଶୁଣୁଛି ଏ କଥା ମନ ଦୁଃଖ କରୁଛି । ହେଲେ ପେଟୁପାଲି ଗାଁର ଲୋକେ ବୃଦ୍ଧଙ୍କ ପ୍ରତି ଟିକେ ବି ସହାନୁଭୂତି ଦେଖାଉନାହାନ୍ତି ।
ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ୬୦ ବର୍ଷର ବୃଦ୍ଧ ଜଣଙ୍କୁ କୁକୁର କାମୁଡ଼ିଥିଲା। ଚିକିତ୍ସା କରିବା ପାଇଁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରବର୍ତ୍ତୀ ସମୟରେ ବୁର୍ଲ୍ଲା ବଡ ମେଡିକାଲରେ ଭର୍ତ୍ତି କରାଇଥିଲେ ପୁଅ। ୧୦ ଦିନର ଚିକିତ୍ସା ପରେ ଘରକୁ ଆଣି ପ୍ରତିଦିନ ଡ୍ରେସିଂ କରୁଥିଲେ। ହେଲେ ଜାତି ତଥା ସମାଜର ବଡ ପଣ୍ଡା ମାନେ ବାପାଙ୍କୁ ସାମାଜିକ ବାସନ୍ଦ କରିବାକୁ ବାଧ୍ୟ କରିଥିଲେ। ପରେ ପୁଅ ବାଧ୍ୟ ହୋଇ ବୃଦ୍ଧ ବାପାଙ୍କୁ ଜଙ୍ଗଲରେ ଛାଡ଼ି ଆସିଥିଲେ। ତେବେ ଏତିକିରେ କଥା ସରିନଥିଲା, ଭୋଜି ଭାତ କରି ଗାଁ ଲୋକଙ୍କୁ ଖାଇବାକୁ ଦେଇଥିଲା ପୁଅ। ପରେ ଜାତି ଭାଇଙ୍କ ସହିତ ପୁନର୍ବାର ସାମିଲ ହୋଇଥିଲେ। ତେବେ ଏନେଇ ସୂଚନା ପାଇ ଏକ ସାମାଜିକ ସଂଗଠନ ଜଙ୍ଗଲରୁ ବୃଦ୍ଧଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକତ୍ସାଲୟରେ ଭର୍ତ୍ତି କରିଛନ୍ତି।
Powered by Froala Editor