ମୁଖ୍ୟ ଶାସନ ସଚିବଙ୍କୁ ରାଜ୍ୟ ନିର୍ବାଚନଙ୍କ କମିଶନ ଚିଠି, ନଭେମ୍ବର ୧୫ ସୁଦ୍ଧା ନିଜ ଅଞ୍ଚଳରୁ କର୍ମଚାରୀଙ୍କୁ ବଦଳି ନିର୍ଦ୍ଦେଶ
ଭୁବନେଶ୍ବର: ଆସନ୍ତାବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ସବୁପ୍ରକାର ଉଦ୍ୟମ କରାଯାଉଛି । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ନଭେମ୍ବର ୧୫ ସୁଦ୍ଧା ନିଜ ଅଞ୍ଚଳରୁ କର୍ମଚାରୀଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।
ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସରକାରୀ ଅଫିସରଙ୍କର ପ୍ରତ୍ୟେକ୍ଷ ସଂପୃକ୍ତି ରହିବ । ତେଣୁ ସଂପୃକ୍ତ ଅଫିସରମାନେ ଯଦି ନିଜ ଅଞ୍ଚଳରେ ରହିବେ, ତେବେ ନିର୍ବାଚନର ନିରପେକ୍ଷତା ନେଇ ପ୍ରଶ୍ନ ଉଠିବ । ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେବ । ତେଣୁ ନିଜ ଅଞ୍ଚଳରେ ନିଯୁକ୍ତି ପାଇ କାମ କରୁଥିବା ଏଭଳି କର୍ମଚାରୀଙ୍କୁ ଚିହ୍ନଟ କରି ଅନ୍ୟ ସ୍ଥାନକୁ ବଦଳି କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଚିଠି ଲେଖି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ଆସନ୍ତା ନଭେମ୍ବର ୧୫ ସୁଦ୍ଧା ଏ ବଦଳି ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ କମିଶନ ଚିଠିରେ ଦର୍ଶାଇଛନ୍ତି ।ନିର୍ବାଚନ କମିଶନର ଚିଠିରେ ଦର୍ଶାଇଛନ୍ତି, ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତିରୁ ଆରମ୍ଭ କରି କମିଶନଙ୍କୁ ବହୁ କାମ କରିବାକୁ ହେବ । ଏଥିପାଇଁ କମିଶନଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ନିର୍ବାଚନକୁ ନିରପେକ୍ଷ କରିବାକୁ ନିଜ ଅଞ୍ଚଳରେ ଥିବା ସରକାରୀ କର୍ମଚାରୀଙ୍କୁ ବଦଳି କରିବାର ଆବଶ୍ୟକତା ରହିଛି । ଯେଉଁ କର୍ମଚାରୀମାନେ ଆସନ୍ତା ୨୦୨୨ ମାର୍ଚ୍ଚରେ ଅବସର ନେବେ ସେମାନେ ଭୋଟ ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ ନାହିଁ ।ତେଣୁ ତାଙ୍କୁ ବଦଳି କରିବାର ଆବଶ୍ୟକତା ନାହିଁ । ଯେଉଁ ଅଫିସରମାନେ ବଦଳି ହେବେ ସେମାନେ ଯେପରି ଛୁଟିରେ ରହିବେନି ସେଥିପ୍ରତି ସରକାର ଧ୍ୟାନ ଦେବେ । ଏହା ସହ ଯେଉଁମାନଙ୍କର ବଦଳି ଆଦେଶ ପାଇବେ ସେହି କର୍ମଚାରୀ ତୁରନ୍ତ ଯେପରି ନୂଆ ସ୍ଥାନରେ ଯୋଗଦେବେ । ଏହାକୁ ସରକାର ନିଶ୍ଚିତ କରିବେ । ନିଜ ଜିଲ୍ଲାରେ ଥିବା ଜିଲ୍ଲାପାଳ, ଏସପି, ଅତିରିକ୍ତ ଜିଲ୍ଲାପାଳ, ଡିଆରଡିଏ ପିଡି, ଅତିରିକ୍ତ ଏସପି ଓ ଜିଲ୍ଲା ପଞ୍ଚାୟତ ଅଫିସରଙ୍କୁ ବଦଳି କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।ସେହିପରି ସବଡିଭିଜନ ସ୍ତରରେ ଉପଜିଲ୍ଲାପାଳ, ଆଇଟିଡିଏ ପିଡି, ଅତିରିକ୍ତ ଉପଜିଲ୍ଲାପାଳ, ଏସ୍ପିଓ, ସବଡିଭିଜନାଲ ପଞ୍ଚାୟତ ଅଫିସର, ବ୍ଲକସ୍ତରରେ ବିଡିଓ, ଏବିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର, ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଓ ଥାନା ଆଇଆଇସିଙ୍କୁ ବଦଳି କରିବାକୁ କମିଶନ କହିଛନ୍ତି । ନିଜ ପଞ୍ଚାୟତରେ କାର୍ୟ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ବଦଳି କରିବାକୁ କମିଶନ ସୁପାରିସ କରିଛନ୍ତି ।
Powered by Froala Editor