ମମିତା ମେହେର ହତ୍ୟା ଘଟଣା, ଏସପିଙ୍କୁ ରିପୋର୍ଟ ମାଗିଲେ ମହିଳା କମିଶନ ଅଧ୍ୟକ୍ଷା
କଳାହାଣ୍ଡି: ମମିତା ମେହେର ହତ୍ୟା ଘଟଣାରେ କଳାହାଣ୍ଡି ଏସପିଙ୍କୁ ରିପୋର୍ଟ ମାଗିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । କଳାହାଣ୍ଡି ଏସପିଙ୍କୁ ରିପୋର୍ଟ ମାଗିଛୁ । ସଠିକ ତଦନ୍ତ ପାଇଁ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ ଦିଆଯିଇଛି । ଆଇନ ଆଖିରେ ସମସ୍ତେ ସମାନ, ପ୍ରଭାବଶାଳୀ ବ୍ୟକ୍ତି ହେଲେ ମଧ୍ୟ କାର୍ୟ୍ୟାନୁଷ୍ଠାନ ନିଆଯିବ । ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୀନତି ।
କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ସ୍କୁଲ୍ ସଭାପତି ଗୋବିନ୍ଦ ସାହୁ ହତ୍ୟା କରିଥିବା ପୁଲିସ୍ ନିକଟରେ ସ୍ୱୀକାର କରିଥିବା ସୂଚନା ଆସିଥିବା ବେଳେ ଅନ୍ୟପକ୍ଷରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ଗୋବିନ୍ଦ ସାହୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କର ଘନିଷ୍ଠ ଥିବା ଜଣାପଡ଼ିବା ପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ତଥା ଗିରଫ କରିବା ଦାବି ଆଜି ଆହୁରି ଜୋର ଧରିଛି।
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭବାନୀପାଟଣା ସ୍ଥିତ ଘର ଉପରକୁ ଆଜି ଅଣ୍ଡାମାଡ଼ ହୋଇଛି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତାଙ୍କ ଘର ଉପରକୁ ଅଣ୍ଡାମାଡ଼ କରାଯାଇଛି। ସେମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଗତକାଲି ମନ୍ତ୍ରୀଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ କରାଯାଇଥିଲା।
କାର ଭିତରେ ହିଁ ମମିତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଓଡି-୦୮କେ- ୧୦୦୨ ନମ୍ବର ବିଶିଷ୍ଟ କାରରେ ହିଁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଗତ ୮ ତାରିଖରେ ମମିତାଙ୍କୁ କାରରେ ନେଇ ଆସିଥିଲା ଗୋବିନ୍ଦ ସାହୁ । କାର ଭିତରେ ହିଁ ମମିତାଙ୍କ ସହ ଗୋବିନ୍ଦର ବଚସା ହୋଇଥିଲା । ବଚସା ପରେ କାରରେ ମମିତାଙ୍କୁ ଗୋବନ୍ଦ ହତ୍ୟା କରିଥିବା ସୂଚନା ମିଳିଛି । ହତ୍ୟା ପରେ ୮ ତାରିଖ ବିଳମ୍ବିତ ରାତିରେ ମୃତଦେହକୁ ପୋତା ଯାଇଥିଲା । ୧୪ ତାରିଖରେ କାରକୁ ଜବତ କରିଥିଲା ପୁଲିସ । ଜବତ କାରରୁ ଗୋଟିଏ ପାଉଁଜି ଓ ପେଟ୍ରୋଲ ଜାର ମିଳିଥିଲା । ଗତକାଲି ମିଳିଥିବା ମୃତଦେହ ନିକଟରୁ ଗୋଟିଏ ପାଉଁଜି ମିଳିଥିଲା । ତେବେ ୬ ତାରିଖରେ ହିଁ ଗାତ ଖୋଳାଯାଇଥିବା ସୂଚନା ମିଳିଛି । ତେଣୁ ମମିତାଙ୍କୁ ହତ୍ୟା ନେଇ ପୂର୍ବରୁ ଗୋବିନ୍ଦ ଯୋଜନା କରିଥିଲା ।
ଗୋବିନ୍ଦ ସାହୁ ଅପରାଧ ସ୍ୱୀକାର କରିଥିବା ସୂଚନା ମିଳିଛି । ଜେରା ବେଳେ ପୁଲିସ ଆଗରେ ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି ।
Powered by Froala Editor