ମାଓବାଦୀ ଶିବିରରେ ଡ୍ରୋନ ସାହାଯ୍ୟରେ ବୋମା ବର୍ଷଣ
ଡ୍ରୋନ୍ ସାହାଯ୍ୟରେ ସୁରକ୍ଷା ବାହିନୀ ବିଜାପୁର ଜଙ୍ଗଲରେ ମାଓବାଦୀଙ୍କ ଉପରକୁ ବୋମା ପକାଇଛି । ଏନେଇ ଖୋଦ୍ ଛତିଶଗଡ଼ ମାଓ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି (ଡି.କେ.ଜେ.ସି.ସି) ମୁଖପାତ୍ର ପ୍ରେସ୍ ନୋଟ୍ ଜାରି କରି ସୂଚନା ଦେଇଛନ୍ତି । ପ୍ରେସ୍ ନୋଟ୍ ସହିତ ଫଟୋ ଏବଂ ଭିଡିଓ ମଧ୍ୟ ପ୍ରମାଣ ଭାବରେ ଦେଇଛନ୍ତି ମାଓବାଦୀ ।
ଗତ ୧୯ ତାରିଖ ଅପରାହ୍ନ ୩ଟା ସମୟରେ ବିଜାପୁର ଜିଲ୍ଲା ପମେଡ଼ ଥାନା ବୋତ୍ତଲଙ୍କା ଏବଂ ପ୍ଲାଗୁଡ଼େମ ମଧ୍ୟରେ ମାଓବାଦୀ କ୍ୟାମ୍ପ କରିଥିବା ବେଳେ ଆକାଶ ମାର୍ଗରୁ ଡ୍ରୋନ ସାହାଯ୍ୟରେ ୧୨ଟି ବୋମା ବର୍ଷଣ କରିଥିଲା ସେନା। ଡ୍ରୋନ୍ ଆକ୍ରମଣ ପୂର୍ବରୁ ଚତୁରତାର ସହିତ ମାଓବାଦୀମାନେ ସ୍ଥାନ ପରିବର୍ତ୍ତନ କରିଥିଲେ । ଫଳରେ ମାଓବାଦୀଙ୍କୁ କୌଣସି କ୍ଷତି ହୋଇନାହିଁ ।
ଏହି ଆକ୍ରମଣ ବିଷୟରେ ଏବେ ମାଓ ସଂଗଠନର ପ୍ରବକ୍ତା ବିକଳ୍ପ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ସହ ବୋମା ପଡିଥିବା ସ୍ଥାନ ଓ ବୋମାର ଭଗ୍ନାଂଶର ଫଟୋ ଓ ଭିଡ଼ିଓ ଜାରି କରିଛି ମାଓ ସଂଗଠନ। ଏହାକୁ ମାଓବାଦୀମାନେ ଦୃଢ଼ ବିରୋଧ କରିବା ସହ ସେମାନଙ୍କୁ ଆତଙ୍କବାଦୀଙ୍କ ଭଳି ବ୍ୟବହାର ପ୍ରଦର୍ଶନ ସରକାର କରିଥିବା ମାଓ ସଂଗଠନ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଛତିଶଗଡ଼ର ବିଜାପୁର ସୁକ୍ମାରେ ସୁରକ୍ଷା କର୍ମୀଙ୍କ ମାଓ ବିରୋଧୀ ଅପରେସନ୍ ବେଳେ ୨୨ ଯବାନ ସହିଦ ହୋଇଥିବା ବେଳେ ୩୧ ଜଣ ଯବାନ ଆହତ ହୋଇଥିଲେ । ଏହାପରେ ସୁରକ୍ଷା କର୍ମୀଙ୍କ ଦ୍ୱାରା ମାଓବାଦୀଙ୍କୁ ଟାର୍ଗେଟ୍ କରି ବଡ଼ ଆକ୍ରମଣ କରାଯାଇଥିବା କୁହାଯାଉଛି । ଆକାଶ ମାର୍ଗରୁ ମାଓବାଦୀଙ୍କୁ ଆକ୍ରମଣ ଭାରତରେ ପ୍ରଥମ ଘଟଣା ହୋଇଥିବା ବେଳେ ଏଥିରୁ ସରକାରଙ୍କ ‘ପ୍ରହାର-୩’ ଅପରେସନ୍ ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି।
Powered by Froala Editor