ମମତା ବାନାର୍ଜୀଙ୍କ ସରକାରୀ ଅଫିସରେ ନିଆଁ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରୀ ଅଫିସରେ ନିଆଁ ଲାଗି ଯାଇଛି। ବେଙ୍ଗଲ ସଚିବାଳୟର ୧୪ତମ ମହଲାରେ ଥିବା ମମତାଙ୍କ ଅଫିସରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି। ପଶ୍ଚିମବଙ୍ଗର ଅସ୍ଥାୟୀ ରାଜ୍ୟ ସଚିବାଳୟ ଥିବା ନାବନାର ଶ୍ରମିକମାନେ ୧୪ ତମ ମହଲାରୁ ଧୂଆଁ ବାହାରୁଥିବା ଦେଖିଥିଲେ। ଖୁବ୍ ଶୀଘ୍ର ଅଗ୍ନିଶମ ବିଭାଗ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିକାରୀମାନେ ତ୍ୱରାନ୍ୱିତ ହୋଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଦୁର୍ଗାପୂଜା ଯୋଗୁ ରାଜ୍ୟ ସଚିବାଳୟ ବନ୍ଦ ରହିଛି। ଅଗ୍ନିକାଣ୍ଡ ବେଳେ କୌଣସି କର୍ମଚାରୀ ଏହା ମଧ୍ୟରେ ନଥିଲେ। ତେଣୁ ଘଟଣାରେ କେହି ବି ମୃତାହତ ହୋଇନାହାନ୍ତି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି। ରିପୋର୍ଟ ଲେଖା ହେବା ବେଳକୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ।
ତଥାପି ଶଟସର୍କିଟରୁ ଏପରି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
Powered by Froala Editor